ଜଗତସିଂହପୁର: କୋଭିଡ ପରିଚାଳନା କ୍ଷେତ୍ରରେ ଜଗତସିଂହପୁର ଜିଲ୍ଲା ବେଶ୍ ଭଲ ଚିକିତ୍ସା ଯୋଗାଉଛି । ସମ୍ପ୍ରତି ଜିଲ୍ଲାରେ କୋଭିଡ ସୁପରିଚାଳନା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ବିଶେଷ ପଦକ୍ଷେପ ନେଇଛନ୍ତି । ଯଦ୍ବାରା ଜଗତସିଂହପୁରରେ କୋରୋନା ସଂକ୍ରମଣ ସ୍ଥିତି ଭଲ ରହିଛି ବୋଲି ଜଗତସିଂହପୁର ଜିଲ୍ଲା ଗସ୍ତ ଅବସରରେ କହିଲେ କେନ୍ଦ୍ରୀୟ ଡାକ୍ତରୀ ଟିମ୍ । ଜଗତସିଂହପୁରରେ କିପରି କୋଭିଡ ପରିଚାଳନା ଚାଲିଛି ସେନେଇ ମଙ୍ଗଳବାର ଜଗତସିଂହପୁର ଜିଲ୍ଲା ଗସ୍ତ କରିଥିଲେ କେନ୍ଦ୍ରୀୟ ଡାକ୍ତରୀ ଟିମ୍ ।
ମଙ୍ଗଳବାର ଦିନ 1ଟା ସମୟରେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଟିମ୍ ପହଞ୍ଚିଥିଲେ ଏବଂ ସେଠାରେ ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହ ଆଲୋଚନା କରିଥିଲେ । ପରେ ଅପରାହ୍ନ 4ଟାରେ ପାରାଦ୍ୱୀପ କୋଭିଡ ହସ୍ପିଟାଲ ପରିଦର୍ଶନ କରିବା ପାଇଁ ବାହାରିଥିଲେ । ସେଠାରେ କୋଭିଡ ହସ୍ପିଟାଲ ପରିଦର୍ଶନ କରି ରୋଗୀଙ୍କ ଚିକିତ୍ସା ସମ୍ପର୍କରେ କେନ୍ଦ୍ରୀୟ ଟିମ୍ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ । ତେବେ ଜିଲ୍ଲାରେ କୋଭିଡ ସୁପରିଚାଳନା ହେଉଥିବା କହିଛନ୍ତି କେନ୍ଦ୍ରୀୟ ଟିମ୍ ସଦସ୍ୟ ଡାକ୍ତର ପ୍ରଶାନ୍ତ ମହାପାତ୍ର ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ