ଜଗତସିଂହପୁର: ଜିଲ୍ଲାର 4ଟି ବ୍ଲକ ଅଧୀନରେ ଥିବା ୫୪୪ଟି ଗ୍ରାମରେ ପହଞ୍ଚିବ ବିଶୁଦ୍ଧ ପାନୀୟ ଜଳ । ଜଳ ଜୀବନ ମିଶନ ଯୋଜନାରେ ଏଥିପାଇଁ ୪୩୧ କୋଟି ୧୦ ଲକ୍ଷ ୯୦ ହଜାର ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । ଏହାଦ୍ବାରା ୫୪୪ଟି ଗ୍ରାମର ପ୍ରାୟ ୪ ଲକ୍ଷ ୩୨ ହଜାର ୯୧୬ ଲୋକେ ଉପକୃତ ହେବେ ।
ଏହାକୁ ନେଇ ଜଗତସିଂହପୁର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଜଗତସିଂହପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ । ଜିଲ୍ଲାର ସମୁଦ୍ର କୁଳିଆ ଗ୍ରାମ ଗୁଡ଼ିକରେ ବସବାସ କରୁଥିବା ଲୋକେ, ପାନୀୟ ଜଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏମାନଙ୍କୁ ପ୍ରଶାସନ ପକ୍ଷରୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦିଆଯାଉଥିଲା ।
ଏହି ତାଲିକାରେ ଏରସମା ବ୍ଲକ ଅଧିନରେ ୧୯ଟି ପଞ୍ଚାୟତର ୧୬୮ଟି ଗାଁ ରହିଥିଲା । ସେହିଭଳି କୁଜଙ୍ଗର ୧୬୮ଟି ତିର୍ତ୍ତଲର ୨୦୦ଟି ଓ ରଘୁନାଥପୁରର ୧୦ଟି ଗ୍ରାମ ସାମିଲ ରହିଥିଲେ । ତେବେ ରାଜ୍ୟ ସରକାରଙ୍କ ଜଳ ଜୀବନ ମିଶନରେ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୪ ଲକ୍ଷ ୩୨ ହଜାର ୯୧୬ ଲୋକେ ଉପକୃତ ହେବେ । ଦୀର୍ଘଦିନରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଏହି ସବୁ ଅଞ୍ଚଳରେ ଦାବୀ ହୋଇ ଆସୁଥିଲା ।
ଇଟିଭି ଭାରତ, ଜଗତସିଂହପୁର