ଜଗତସିଂହପୁର: ସମ୍ଭାବ୍ୟ ବାତ୍ୟା 'ଅମ୍ପାନ'କୁ ନେଇ ଜିଲ୍ଲାରେ ଭୟର ବାତାବରଣ ସୃଷ୍ଟି ହୋଇଛି । ବାତ୍ୟା ପ୍ରଭାବିତ ଅଞ୍ଚଳ ଭାବେ ଜଣାଶୁଣା ପାରାଦ୍ୱୀପ, କୁଜଙ୍ଗ, ବାଲିକୁଦା, ଏରସମା ଆଦି ଅଞ୍ଚଳରୁ ସୋମବାର ସୁଦ୍ଧା ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ସ୍ଥାନାନ୍ତରିତ କରିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ । ବିଭିନ୍ନ ସ୍କୁଲ ଓ କଲେଜରେ ଥିବା କ୍ୱାରେନଣ୍ଟାଇନ କେନ୍ଦ୍ରକୁ ଛାଡି ଦେଲେ ଅବଶିଷ୍ଟ 542ଟି ସ୍କୁଲକୁ ବାତ୍ୟା ଆଶ୍ରୟସ୍ଥଳ ଭାବେ ବ୍ୟବହାର କରାଯିବ ।
ଅପରପକ୍ଷରେ ତଳିଆ ଅଞ୍ଚଳ ଗୁଡ଼ିକରେ 42ଟି ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଗୁଡିକୁ ପ୍ରସ୍ତୁତ କରି ରଖାଯାଇଛି । ଓଡ୍ରାଫ ଓ ଏନଡିଆରଏଫ ଟିମ୍ ମଧ୍ୟ ପ୍ରସ୍ତୁତ ହୋଇ ରହିଛି । ସମ୍ଭାବ୍ୟ ବାତ୍ୟା ପାରାଦ୍ୱୀପ ଠାରୁ 960 କିଲୋମିଟର ଦୂରରେ ରହିଥିବା ବେଳେ ଏହାର ପ୍ରଭାବରେ ଆସନ୍ତା 19 ତାରିଖରୁ ଜିଲ୍ଲାରେ ପ୍ରବଳବର୍ଷା ସାଙ୍ଗକୁ 100ରୁ 120 କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ଏଥିପାଇଁ ପ୍ରଶାସନ ପକ୍ଷରୁ କଚ୍ଚାଘର କିମ୍ବା ଆଜବେଷ୍ଟ ଘରେ ନ ରହିବାକୁ ନିବେଦନ କରାଯାଇଛି । ସମୁଦ୍ରକୂଳରୁ 5 କିଲୋମିଟର ଦୂରକୁ ଯିବାକୁ ପ୍ରଶାସନ ଅନୁରୋଧ କରିଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ