ଜଗତସିଂହପୁର: ଆଲୋକର ପର୍ବ ଦୀପାବଳି ଜିଲ୍ଲାରେ ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଥିବାବେଳେ ପ୍ରଶାସନ ପକ୍ଷରୁ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଜାରି କରିଥିଲେ । ହେଲେ କେତେକ ସ୍ଥାନରେ ବାଣ ବିକ୍ରି ହେଉଥିବାର ପୋଲିସ ନଜରକୁ ଆସିଥିଲା। ପୋଲିସ ଜିଲ୍ଲାର ବିଭିନ୍ନ ଥାନାରେ ୨୦ରୁ ଅଧିକ ବ୍ୟବସାୟୀଙ୍କୁ ଅଟକ ରଖିଥିବାବେଳେ ବିକ୍ରି କରାଯାଉଥିବା ବାଣକୁ ଜବତ କରିଛି ।
ଦୀପାବଳିର ଦିନକ ପୂର୍ବରୁ ହାଇକୋର୍ଟ ସବୁଜ ବାଣ ଫୁଟାଇବା ପାଇଁ ଅନୁମତି ଦେଇଥିଲେ । ହେଲେ ସମୟ ଅଭାବରୁ ବାଣ ବ୍ୟବସାୟୀ ବାଣ ବିକ୍ରିରୁ ଓହରି ଯାଇଥିଲେ । ଏହାର ସୁଯୋଗ ନେଇ ଚୋରା ବାଣ ବ୍ୟବସାୟୀ ଗ୍ରାମାଞ୍ଚଳରେ ବାଣ ବିକ୍ରି କରୁଥିବା ଦେଖିବାକୁ ମିଳୁଛି । ଲୋକେ ବି ସେମାନଙ୍କ ପାଖରୁ ବାଣ କିଣି ଫୁଟାଉଥିବା ଦେଖିବାକୁ ମିଳିଛି । ଅପର ପକ୍ଷରେ ଜଗତସିଂହପୁର ଓ ପାରାଦୀପ ସହରରେ ଲୋକେ ନିଜ ଘରେ ରଙ୍ଗବେରଙ୍ଗର ବିଜୁଳି ଲାଇଟରେ ସଜାଇବା ସହ ଦୀପଜାଳି ଦୀପାବଳି ପାଳନ କରିଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ