ଜଗତସିଂହପୁର: ଭୂତ ନେଉଥିଲା ଭତ୍ତା। ତାହା ପୁଣି ମାସ ମାସ ଧରି । ଆଖିରେ ଅଙ୍ଗୁଳି ଗେଞ୍ଜି ଲୁଟୁଥିଲେ ସରକାରୀ ଅର୍ଥ। ଏହି ଘୋଟାଲା ସମ୍ପର୍କରେ ପ୍ରଥମେ 'ଇଟିଭି ଭାରତ'ରେ ଖବର ପ୍ରସାରଣ ପରେ ପ୍ରଶାସନର ନିଦ ଏବେ ଭାଙ୍ଗିଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବୁଧବାର ଉପଜିଲ୍ଲାପାଳ ତଦନ୍ତ ଆରମ୍ଭ କରିଛନ୍ତି।
ଜିଲ୍ଲାର ସଦର ବ୍ଲକ ଅନ୍ତର୍ଗତ ଖଇରଙ୍ଗ ପଞ୍ଚାୟତ ରେ ମୃତ ବ୍ୟକ୍ତିଙ୍କ ନାମରେ ଭତ୍ତା ଟଙ୍କା ଉଠାଯିବା ଘଟଣା ସୂଚନା ଅଧିକାର ଆଇନ ବଳରେ ଜଣାପଡିବା ପରେ ପ୍ରଥମେ 'ଇଟିଭି ଭାରତ'ରେ ଖବର ପ୍ରସାରଣ ହୋଇଥିଲା। ଖବର ପ୍ରସାରଣ ପରେ ବୁଧବାର ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।
ତଦନ୍ତକାରୀ ଅଧିକାରୀ ଭାବେ ଉପଜିଲ୍ଲାପାଳ ବୁଧବାର ଉକ୍ତ ପଞ୍ଚାୟତର ଭତ୍ତା ଖାତା ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ଏକାଧିକ ମୃତବ୍ୟକ୍ତିଙ୍କ ନାମରେ ଜାଲ ଟିପ ଦେଇ କିପରି କିଏ ଟଙ୍କା ଉଠାଯାଉଥିଲା? ସ୍ଥାନୀୟ ସରପଞ୍ଚ କି ପଞ୍ଚାୟତ ନିର୍ବାହୀ ଅଧିକାରୀ କେମିତି ଜାଣିପାରିଲେ ନାହିଁ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ?
ଏସମ୍ପର୍କରେ ଆମେ ଉପଜିଲ୍ଲାପାଳଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ କିନ୍ତୁ ସେ ଏ ସମ୍ପର୍କରେ ଗଣମାଧ୍ୟମରେ କିଛି କହିବାକୁ ମନା କରିଦେଇଥିଲେ। ନିରପେକ୍ଷ ତଦନ୍ତ କରାଗଲେ ଅନେକ ଦୁର୍ନୀତିର ପର୍ଦ୍ଦାଫାସ ହୋଇପାରିବ ବୋଲି ଗ୍ରାମବାସୀ କହିଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ