ଜଗତସିଂହପୁର: ପୂର୍ତ୍ତବିଭାଗ କାର୍ଯ୍ୟାଳୟ ଖୋଲାଥିଲେ ବି ଆସୁନାହାନ୍ତି ବିଭାଗୀୟ ଅଧିକାରୀ । ଜଗତସିଂହପୁର ଜିଲ୍ଲା ପୂର୍ତ୍ତବିଭାଗ କାର୍ଯ୍ୟାଳୟକୁ ବିଭାଗୀୟ ଅଧିକାରୀ ମାନେ ଆସୁନଥିବାରୁ କାର୍ଯ୍ୟାଳୟ ଏକ ପ୍ରକାର ଠପ ହୋଇ ଯାଇଛି । ସରକାରୀ ନିୟମ ଅନୁସାରେ, ସକାଳ ୧୦ ଟାରୁ ସଂନ୍ଧ୍ୟା 5ଟା ପର୍ଯ୍ୟନ୍ତ ଅଫିସ କାର୍ଯ୍ୟ ହେବା କଥା । କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଜଗତସିଂହପୁର ପୂର୍ତ୍ତବିଭାଗ କାର୍ଯ୍ୟାଳୟରେ ।
ବିଭାଗୀୟ ଯନ୍ତ୍ରୀମାନେ, ବିଭିନ୍ନ ସମୟରେ କାମର ଆଳ ଦେଖାଇ ଅନେକ ଦିନ ଧରି ଅଫିସ ଆସୁ ନଥିବାବେଳେ ଅନ୍ୟ କର୍ମଚାରୀଙ୍କ ଚୌକି ବି ଖାଲି ପଡ଼ୁଛି । ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି । ସେହିପରି ବିଭାଗର ଅନେକ ଗୁରୁତ୍ବପୂର୍ଣ କାଗଜପତ୍ର ଗୁଡ଼ିକୁ ଅସୁରକ୍ଷିତ ଭାବରେ ବାହାରେ ପଡି ରହିଛି ।
ଏ ସମ୍ପର୍କରେ ଆମେ ପୂର୍ତ୍ତବିଭାଗ ନିର୍ବାହୀ ଯନ୍ତ୍ରୀ ନିମାଇଁ ଚରଣ ଦାସଙ୍କୁ ପଚାରିବାରୁ ସେ, ଏସମ୍ପର୍କରେ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଥିଲେ । ମାତ୍ର ଏସମ୍ପର୍କରେ ଅନୁସନ୍ଧାନ କରାଯାଇ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବା ସହ ଅସୁରକ୍ଷିତ ଭାବେ ପଡିଥିବା କାଗଜପତ୍ର ଗୁଡିକୁ ସୁରକ୍ଷିତ ସ୍ଥାନରେ ରଖାଯିବ ବୋଲି କ୍ୟାମେରା ପଛରେ କହିଛନ୍ତି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ