ପାରାଦ୍ବୀପ/ଭୁବନେଶ୍ବର: ରାଜ୍ୟରେ ବଢିବାରେ ଲାଗିଛି ଦେଶ ତଥା ରାଜ୍ୟର ବରପୁତ୍ରଙ୍କୁ ଅସମ୍ମାନ ଘଟଣା । କିଛିଦିନ ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ସାର୍ଟ ପ୍ୟାଣ୍ଟ ପିନ୍ଧା ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା । ଆଉ ଏବେ ପୂର୍ବତନ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଓ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ଅଳିଆ ଗଦାକୁ ଫିଙ୍ଗି ଦିଆଯାଇଛି । ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ଘଟଣାକୁ ନେଇ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ଦାମୋଦର ରାଉତ ଉଦବେଗ ପ୍ରକାଶ କରିଛନ୍ତି । ତୁରନ୍ତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି ।
ଦାମୋଦର କହିଛନ୍ତି ଯେ, ଗତକାଲି ପାରାଦ୍ୱୀପରେ ଏକ ଦୁଃଖଦ ଘଟଣା ଘଟିଛି । ଯେଉଁ ଘଟଣା ଯୋଗୁଁ ଲୋକଙ୍କ ମଧ୍ୟରେ ବିଷାଦ ଛାଇ ଯାଇଛି । ବରପୁତ୍ର ମାନଙ୍କୁ ସମ୍ମାନ ଦେବା ପରିବର୍ତ୍ତେ ଏବେ ପାରାଦ୍ୱୀପରେ ଅସମ୍ମାନିତ କରାଯାଉଛି । ପାରାଦ୍ୱୀପ ବନ୍ଦର ଶୁଭ ଦେଇଥିଲେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ । ମୁଖ୍ୟମନ୍ତ୍ରୀ ଭାବେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ନେହେରୁଙ୍କ ସହିତ ଶୁଭ ଦେବା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ତେଣୁ ପାରାଦ୍ୱୀପ ବାସୀଙ୍କ ଲାଗି ଏହି ଦୁଇ ନେତା ହେଉଛନ୍ତି ଅତି ପ୍ରିୟତମ ବରପୁତ୍ର ।
ଏହାବି ପଢନ୍ତୁ- 50 Years Of Tiger Project: ବ୍ୟାଘ୍ର ଗଣନା ରିପୋର୍ଟ ଉନ୍ମୋଚନ କରିବେ ମୋଦି
କୁଜଙ୍ଗର କୌବତମାନଙ୍କର ବଡ ସଂଗଠନ ହେଉଛି କଳିଙ୍ଗ କର୍ଣ୍ଣଧାର ସମିତି । କଳିଙ୍ଗ କର୍ଣ୍ଣଧାର ସମିତିର ତତ୍କାଳୀନ ସଭାପତି ଥିଲେ ସ୍ବର୍ଗତ ଶଙ୍ଖନାଦ ବେହେରା । ସେ ତାଙ୍କର ସଂଗଠନ ତରଫରୁ ପାରାଦ୍ୱୀପର ବାଲିପାଟଣାରେ ପ୍ରତିମୂର୍ତ୍ତି ନିର୍ମାଣ କରିଥିଲେ । ଏକ ଡ଼ଙ୍ଗା ଉପରେ ନେହେରୁ ଓ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିଥିଲେ । ଉଭୟ ନେତାଙ୍କ ପ୍ରତିମୂର୍ତ୍ତିକୁ ଅଞ୍ଚଳବାସୀ ସମ୍ମାନ ଦେଉଥିଲେ । ଦୁଃଖର କଥା ହେଉଛି ଜଣେ କେହି ବ୍ୟକ୍ତି ନିଜକୁ ବିଜେପି ନେତା କହି ସେହି ଦୁଇ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେଇଛି । ଆଉ ଏହି ଭଙ୍ଗା ପ୍ରତିମୂର୍ତ୍ତିକୁ ଅଳିଆ ଗଦାକୁ ପକେଇ ଦେଇଛନ୍ତି । ପାରାଦ୍ୱୀପରେ ଏଥିପାଇଁ ପ୍ରବଳ ମାତ୍ରରେ ଜନଅସନ୍ତୋଷ ଦେଖା ଦେଇଛି । ସଂସ୍କୃତି ବିଭାଗ ପକ୍ଷରୁ ଏହାର ତଦନ୍ତ କରାଯାଇ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଁ ଦାବି କରୁଛି ।
ଦାମ ଆହୁରି ମଧ୍ୟ କହିଛନ୍ତି ଯେ, ନିକଟରେ ରାଜ୍ୟର ପ୍ରଥମ ମୁଖ୍ୟମନ୍ତ୍ରୀ ଋଷି ପ୍ରତିମ ନବକୃଷ୍ଣ ଚୌଧୁରୀଙ୍କୁ ପ୍ରତିମୂର୍ତ୍ତି ବିକୃତ ଭାବେ ଅନୁଗୋଳରେ ସ୍ଥାପନ କରାଯାଇଥିଲା । ସେଠାରେ ଯେଉଁଭଳି ଭାବେ ପ୍ରହସନ କରାଯାଇଥିଲା, ତାହାଠାରୁ ଅଧିକ ଦୁଃଖଦ ହେଉଛି ପାରାଦ୍ୱୀପ ଘଟଣା । ପ୍ରତିମୂର୍ତ୍ତି ଭାଙ୍ଗି ଅଳିଆ ଗଦାକୁ ଫିଙ୍ଗିବା ଘଟଣାକୁ ସହଜରେ ବରଦାସ୍ତ କରିବା କଥା ନୁହେଁ । ସରକାରଙ୍କ ତରଫରୁ ସଂସ୍କୃତି ବିଭାଗ ତୁରନ୍ତ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ମୁଁ ଦାବି କରୁଛି । ଘଟଣା ପ୍ରଚ୍ଛଦପଟରେ ରହିଛି ରାଜନୈତିକ ଉଦ୍ଦେଶ୍ୟ ।
ଜଣେ ଲୋକ ନିଜକୁ ବିଜେପି ନେତା ବୋଲି କହୁଛନ୍ତି । ବିଜେପି ହେଲେ ସେ ନରେନ୍ଦ୍ର ମୋଦିଙ୍କ କଥା କହିବେ । ନେହେରୁ ଓ ବିଜୁ ପଟ୍ଟନାୟକଙ୍କୁ ସହି ପାରୁନାହାନ୍ତି । ସେଥିପାଇଁ ବୋଧେ ଉଭୟଙ୍କ ପ୍ରତିମୂର୍ତ୍ତି ଭାଙ୍ଗି ଅଳିଆ ଗଦାକୁ ଫିଙ୍ଗିଛନ୍ତି । ନହେଲେ ପ୍ରତିମୂର୍ତ୍ତି ତ କାହାର ଅସୁବିଧା କରୁନଥିଲା । ନଈ କୂଳରେ କୈବର୍ତ୍ତ ମାନଙ୍କର ଅତ୍ୟନ୍ତ ପ୍ରିୟ ନେତା ଭାବେ ପୂଜା ପାଉଥିଲେ । ଏହା କେବଳ ରାଜନୈତିକ ବିଦ୍ୱେଷ ଭାବ ରଖି କରାଯାଇଛି । ଯେହେତୁ ସେ ବିଜେପି, ତେଣୁ ନେହେରୁ ଓ ବିଜୁଙ୍କୁ ସହ୍ୟ କରିପାରିଲେ ନାହିଁ ବୋଲି ଏମିତି କରିଛନ୍ତି । ତେଣୁ ଏହାକୁ ଗୁରୁତର ଭାବେ ବିଚାର କରି କାର୍ଯ୍ୟାନୁଷ୍ଠାନ ହେବା ଉଚିତ ।
ଇଟିଭି ଭାରତ, ପାରାଦୀପ, ଭୁବନେଶ୍ବର