ଜଗତସିଂହପୁର: ଜିଲ୍ଲାର ରଘୁନାଥପୁରଠାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ନିକଟରୁ ପୂର୍ବତନ ବିଧାୟକ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତି ହଟାଇବା ଘଟଣାରେ ଅନଶନ କରିଛି କଂଗ୍ରେସ । ଜିଲ୍ଲା ପ୍ରଶାସନର ଅନୁରୋଧ କ୍ରମେ କଂଗ୍ରେସ ପକ୍ଷରୁ ଧାରଣା ପ୍ରତ୍ୟାହୃତ କରାଯାଇଛି । ଏହି ଧାରଣା ସମୟରେ କଂଗ୍ରେସ ନେତା ହିଂମାଶୁ ଭୂଷଣ ମଲ୍ଲିକ ଗୁରୁତର ହୋଇଥିବା ସୂଚନା ମିଳିଛି ।
ପଣ୍ଡିତ ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ପାଖରେ ଦିବଂଗତ ବିଜେଡ଼ି ନେତା ବିଷ୍ଣୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା । ତେବେ ଏହାକୁ ବିରୋଧ କରି ତିର୍ତ୍ତୋଲ କଂଗ୍ରେସ ନେତା ହିମାଂଶୁ ଓ ସହଯୋଗୀ ଦୀର୍ଘ 7 ଦିନ ଧରି ଆମରଣ ଅନଶନରେ ବସିଥିଲେ । ତେବେ ଆଜି(ଗୁରୁବାର) ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଧର୍ମେନ୍ଦ୍ର ମଲିକ ପହଞ୍ଚି ଆନ୍ଦୋଳନକାରୀଙ୍କୁ ସହିତ ଆଲୋଚନା କରିବା ସହ କଂଗ୍ରେସ ପକ୍ଷରୁ କରାଯାଇଥିବା ଦାବିକୁ ରାଜ୍ୟ ସରକାରଙ୍କ ନିକଟକୁ ପଠାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।
ରାଜ୍ୟସରକାରଙ୍କ ପକ୍ଷରୁ ଉତ୍ତର ନ ଆସିବା ପର୍ଯ୍ୟନ୍ତ ବିଷ୍ଣୁ ଦାସଙ୍କ ପ୍ରତିମୂର୍ତ୍ତିକୁ ଘୋଡାଇ ରଖାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ଏହା ପରେ କଂଗ୍ରେସ ପକ୍ଷରୁ ଅନଶନ ଭଙ୍ଗ କରାଯାଇଥିଲା । ତେବେ କଂଗ୍ରେସ ନେତା ହିମାଂଶୁଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । 7 ଦିନର ଅନଶନରେ 6 ଜଣ କଂଗ୍ରେସ ନେତା ଗୁରୁତର ହୋଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ