ଜଗତସିଂହପୁର: ଦଳକୁ ମଜବୁତ ସ୍ଥିତିକୁ ଫେରାଇ ଆଣିବାକୁ ପ୍ରୟାସ କରୁଛି କଂଗ୍ରେସ । ଆସନ୍ତା ଜାନୁଆରୀ 26ରୁ କଂଗ୍ରେସର ହାତ ସହ ହାତ ଯୋଡ ଅଭିଯାନ ଆରମ୍ଭ ହେବାକୁ ଯାଉଛି । ଏହି ଅବସରରେ ଜିଲ୍ଲା ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ଜଗତସିଂହପୁର ଜିଲ୍ଲାରେ ଆସନ୍ତା ଜାନୁଆରୀ 26 ତାରିଖରୁ କଂଗ୍ରେସ ଆରମ୍ଭ କରିବାକୁ ଯାଉଥିବା ହାତ ସହ ହାତ ଯୋଡ କାର୍ଯ୍ୟକ୍ରମ ନେଇ ପ୍ରସ୍ତୁତି ବୈଠକ ବସିଛି । 2024 ନିର୍ବାଚନକୁ ଆଖି ଆଗରେ ରଖି ପ୍ରତ୍ୟେକ ଗାଁ ଗାଁ ବୁଲି ହାତ ସହ ହାତ ଯୋଡ କାର୍ଯ୍ୟକ୍ରମ କରାଯିବ ବୋଲି ଜଗତସିଂହପୁର ଜିଲ୍ଲା ପ୍ରଭାରୀ ତଥା କଂଗ୍ରେସ ବରିଷ୍ଠ ନେତା ଗଣେଶ୍ୱର ବେହେରା କହିଛନ୍ତି ।
ଶନିବାର ସନ୍ଧ୍ୟାରେ ସିପି ସ୍ଥିତ କଂଗ୍ରେସ ଜନ ସମ୍ପର୍କ କାର୍ଯ୍ୟାଳୟରେ ଏହାକୁ ନେଇ ପ୍ରସ୍ତୁତି ବୈଠକ ବସିଥିଲା । ଏଥିରେ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଗଣେଶ୍ୱର ବେହେରା, ଜିଲ୍ଲା ସଭାପତି ନଟବର ବାରିକ, ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର, ପିସିସି ସଭ୍ୟ ଦେବ ପ୍ରସାଦ ନାୟକ, ପୌରାଧକ୍ଷ ଅର୍ଚ୍ଚନା ସିଂ ପ୍ରମୁଖ ଉପସ୍ଥିତ ରହି ଜାନୁଆରୀ ୨୬ରୁ ଆରମ୍ଭ ହେବାକୁ ଥିବା କଂଗ୍ରେସର ଏହି ଅଭିଯାନ ସମ୍ପର୍କରେ ଆଲୋଚନା କରିଥିଲେ । ତେବେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଅନୁପସ୍ଥିତି ନେଇ ଚର୍ଚ୍ଚା ଜୋର ଧରିଥିଲା ।
ପୂର୍ବରୁ କଂଗ୍ରେସର ହେବିୱେଟ ନେତା ଚିରଞ୍ଜିବୀ ବିଶ୍ୱାଳଙ୍କୁ କଂଗ୍ରେସର କୌଣସି ସଭା ସମିତିରେ ଦେଖିବାକୁ ମିଳୁ ନଥିଲା ଫଳରେ ଚିରଞ୍ଜିବୀ ବିଶ୍ୱାଳ ଶାସକ ବିଜେଡି ଦଳରେ ମିଶିବାକୁ ନେଇ ଜଗତସିଂହପୁର ସହରରେ ଜୋରଦାର ଚର୍ଚ୍ଚା ହେଉଛି । ସେ ପ୍ରଶ୍ନର ଉତ୍ତରରେ ଗଣେଶ୍ୱର ବେହେରା କହିଛନ୍ତି ଯେ,'' କାର୍ଯ୍ୟ ବ୍ୟସ୍ତତା ହେତୁ ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ୱାଳ ଆସି ପାରିନାହାଁନ୍ତି, ତେବେ ଆଗାମୀ ଦିନରେ ସେ କଂଗ୍ରେସ ସହିତ ଅଛନ୍ତି, ଯାହା ଚର୍ଚ୍ଚା ହେଉଛି ତାହା ଗୁଜବ ।''
ଏହା ବି ପଢନ୍ତୁ...ମଧୁସୂଦନପୁର ପଞ୍ଚାୟତରେ ଅଟକିଛି ବିକାଶ କାର୍ଯ୍ୟ, ରାଜନୈତିକ ବିବାଦ ସାଜିଛି କାରଣ
ଏହି ପ୍ରସ୍ତୁତି ବୈଠକରେ ତୃଣମୂଳ ସ୍ତରରେ ସାଙ୍ଗଠନିକ ସ୍ଥିତିକୁ କିଭଳି ମଜଭୁତ କରାଯାଇ ପାରିବ ସେ ନେଇ କଂଗ୍ରେସ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଏହି ସଭାରେ ନେତା ମାନଙ୍କ ମଧ୍ୟରେ ବେଶ କଥା କଟାକଟି ହେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି । 'ଭାରତ ଯୋଡ଼ ଯାତ୍ରା' ପରେ ଆରମ୍ଭ ହେବ 'ହାତ ସେ ହାତ ଯୋଡ଼' ଅଭିଯାନ । ଆସନ୍ତା ଜାନୁଆରୀ 26 ତାରିଖରୁ କଂଗ୍ରେସ ପକ୍ଷରୁ ଏହି ଅଭିଯାନ ଆରମ୍ଭ ହେବ । 2 ମାସ ଧରି 3ଟି ସ୍ତରରେ ଚାଲିବାକୁ ଥିବା ଏହି ଅଭିଯାନରେ ବ୍ଲକସ୍ତରୀୟ ଯାତ୍ରା, ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ଅଧିବେଶନ ଆୟୋଜନ କରାଯିବ । ଏଥିରେ ରାହୁଲ ଗାନ୍ଧୀଙ୍କ ଆହ୍ବାନକୁ ଲୋକଙ୍କ ପାଖରେ ପହଞ୍ଚାଯିବ ।
ପ୍ରକାଶ ଥାଉ କି, ଭାରତ ଯୋଡ ଯାତ୍ରା ଗତକାଲି (ଶନିବାର) ଦିଲ୍ଲୀରେ ପହଞ୍ଚିଛି । 108 ଦିନ ପରେ ଦିଲ୍ଲୀରେ ପହଞ୍ଚିଛି ଏହି ଯାତ୍ରା । ସାଉଥ ଅଭିନେତା କମଲ ହାସନ ଏଥିରେ ଯୋଗ ଦେଇଥିଲେ ।
ଇଟିଭି ଭାରତ, ଜଗତସିଂହପୁର