ଜଗତସିଂହପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଜଗତସିଂହପୁର ଜିଲ୍ଲାରେ ପ୍ରାୟ ୨୧୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି (CM Naveen inaugurated worth of 214 crore projects) । ମୁଖ୍ୟମନ୍ତ୍ରୀ ଜଗତସିଂହପୁର, ରଘୁନାଥପୁର, ତିର୍ତ୍ତୋଲ ଓ ବାଲିକୁଦାରେ ୪ଟି ମିଶନ ଶକ୍ତି ଭବନ ଉଦଘାଟନ କରିଛନ୍ତି । ଏହା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ୧୦ ଶଯ୍ୟା ବିଶିଷ୍ଟ ଆଇସିୟୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଛନ୍ତି ।
ଭିସି ଜରିଆରେ ୪୩ଟି ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀ ଭିତ୍ତିପ୍ରସ୍ତର ମଧ୍ୟ ରଖିଛନ୍ତି । ଏହା ଦ୍ବାରା ଜିଲ୍ଲାର ୧୨ ଲକ୍ଷ ଲୋକ ଉପକାର ପାଇବେ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସାଧାରଣ ଲୋକଙ୍କ ଆସ୍ଥା ଓ ବିଶ୍ବାସକୁ ବଜାୟ ରଖିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଏଥି ପାଇଁ ଆମେ କାମ କରୁଛୁ ଓ ଏହା ଆଗକୁ ମଧ୍ୟ ଜାରି ରହିବ । ପାରାଦୀପରେ ବିଜୁ ବାବୁ ଓଡିଶାର ଶିଳ୍ପ ବିକାଶ ପାଇଁ ଭିତ୍ତି ରଖିଥିଲେ । ପାରାଦୀପ ଆଜି ଦେଶର ଏକ ସମୃଦ୍ଧ ବନ୍ଦର ଭାବରେ ଅନେକ ସୁଯୋଗ ସୃଷ୍ଟି କରିଛି । ଆମ ଅର୍ଥନୀତିର ଜୀବନରେଖା ହୋଇଛି ।
ଏହା ବି ପଢନ୍ତୁ- ଘରୋଇ କମ୍ପାନୀକୁ ବିରୋଧ କରି କଳିଙ୍ଗ ମହିଳା ଶକ୍ତି ସଂଗଠନର ଅନଶନ
ମୁଖ୍ୟମନ୍ତ୍ରୀ କହିଛନ୍ତି, "ମା' ଶାରଳାଙ୍କ ପୀଠ ହେଉଛି ମାତୃପୀଠ । ଜିଲ୍ଲାର ମିଶନ ଶକ୍ତିର ମା' ମାନେ ଆଜି ବିକାଶର ସାରଥୀ ହୋଇଛନ୍ତି । ସେମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ ଦିଆଯିବ । ଏହା ସହିତ ଜିଲ୍ଲାସ୍ତରୀୟ ମିଶନ ଶକ୍ତି ଫେଡେରେସନ ପାଇଁ ୧ କୋଟି ଟଙ୍କା ଓ ବ୍ଲକସ୍ତରୀୟ ମିଶନ ଶକ୍ତି ଫେଡେରେସନ ପାଇଁ ୫୦ ଲକ୍ଷ ଟଙ୍କାର ଏକ ରିଭଲ୍ଭିଂ ଫଣ୍ଡର ବ୍ୟବସ୍ଥା ରଖାଯାଇଛି । ମିଶନ ଶକ୍ତି କାର୍ଯ୍ୟକ୍ରମକୁ ଏହା ଆହୁରି ଆଗକୁ ନେବ । ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଜିଲ୍ଲାର ୮ ଲକ୍ଷ ଲୋକ ଚିକିତ୍ସା ସୁବିଧା ପାଇଛନ୍ତି । ଏଥିପାଇଁ ରାଜ୍ୟ ସରକାର ୧୬୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି ।"
ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୦୨ଟି ସ୍କୁଲର ରୂପାନ୍ତର କରାଯାଇଛି । ୪ର୍ଥ ପର୍ଯ୍ୟାୟରେ ଜିଲ୍ଲାର ସମସ୍ତ ସ୍କୁଲକୁ ରୂପାନ୍ତରଣ କରାଯିବ । ମା' ଶରଳା ମନ୍ଦିରକୁ ହେରିଟେଜ୍, ସ୍ମାରକୀ ଏବଂ ପର୍ଯ୍ୟଟନସ୍ଥଳର ସମନ୍ବିତ ବିକାଶ ଯୋଜନାରେ ସାମିଲ କରାଯାଇଛି । ମା'ଙ୍କ ପୀଠର ଉନ୍ନତି ପାଇଁ ୪୨ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ୨୦୨୩ ଡିସେମ୍ବର ସୁଦ୍ଧା ଏହି କାମ ସମ୍ପୂର୍ଣ୍ଣ ହେବ । ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି, ସାଂସଦ ରାଜଶ୍ରୀ ମଲ୍ଲିକ, ପାରାଦ୍ବୀପ ବିଧାୟକ ସମ୍ବିତ ରାଉତରାୟ, ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର ଦାସ ପ୍ରମୁଖ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5T ସଚିବ ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନା କରିଛନ୍ତି । ଜଗତସିଂହପୁର ଜିଲ୍ଲାପାଳ ସ୍ଵାଗତ ଭାଷଣ ଦେଇଛନ୍ତି ।
ଇଟିଭି ଭାରତ, ଜଗତସିଂହପୁର