ଜଗତସିଂହପୁର: ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍ଥ କାର୍ଡ୍ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଭର୍ଚ୍ଚୁଆଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ରଘୁନନ୍ଦନ ଦାସ, ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି ପ୍ରମୁଖ ଯୋଗ ଦେଇଥିଲେ । ଏହି ଯୋଜନାରେ ଜିଲ୍ଲାର ଦୁଇ ଲକ୍ଷ ୩୮ ହଜାର ୬୧୪ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯିବ ।
ବିଜୁ ସ୍ୱାସ୍ଥ୍ୟବୀମା ଯୋଜନାରେ ସାମିଲ ହୋଇଥିବା ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟସେବା ପାଇଁ ପୁରୁଷଙ୍କୁ ବାର୍ଷିକ ୫ ଲକ୍ଷ ଓ ମହିଳା ହିତାଧିକାରୀଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ବ୍ୟବସ୍ଥା କରାଯାଇଛି । ବିଜୁ ସ୍ବାସ୍ଥ୍ୟ ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ ସହ ମୁଖ୍ୟମନ୍ତ୍ରୀ ୭ଶହ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ।
ସେଥି ମଧ୍ୟରୁ ୨୬ଟି ଅଙ୍ଗନ ବାଡ଼ି ଗୃହ, ୨୩ଟି ଗୋଷ୍ଠୀ ବିକାଶ, ୨ଟି ଶିକ୍ଷା, ମାର୍କେଟ କମ୍ପ୍ଲେକ୍ସ, ମିଶନ ଶକ୍ତି, ଆବାସିକ ସ୍କୁଲ ଗୃହ, ରାସ୍ତା ନିର୍ମାଣ, ବିଦ୍ୟୁତ, ପାନୀୟ ଜଳ, ପୋଲ ନିର୍ମାଣ, ଗୋଷ୍ଠୀ କେନ୍ଦ୍ର ଆଦି ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ମଙ୍ଗଳବାର ଅପରାହ୍ଣ ୫ଟା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଭର୍ଚ୍ଚୁଆଲରେ ଯୋଗ ଦେଇଥିଲେ ।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ