ଜଗତସିଂହପୁର: କୋରୋନା ପାଇଁ ସାରା ଦେଶ ଲକଡାଉନ ଥିବା ବେଳେ ଏବେ ବାହାରେ ଫସି ରହିଥିବା ପ୍ରବାସୀଙ୍କୁ ଓଡ଼ିଶା ଆଣିବାକୁ ବନ୍ଦୋବସ୍ତ କରୁଛନ୍ତି ସରକାର । ତେବେ ଜଗତସିଂହପୁର ଜିଲ୍ଲାକୁ ଆଜି(ଗୁରୁବାର) ରେକର୍ଡ ସଂଖ୍ୟକ ପ୍ରବାସୀ ଓଡ଼ିଆଙ୍କ ଘର ବାହୁଡା ଦେଖିବାକୁ ମିଳିଛି । ଯାହାକୁ ଦେଖି ପ୍ରଶାସନର ବୁଦ୍ଧି ହଜି ଯାଇଛି। ଏତେ ସଂଖ୍ୟକ ପ୍ରବାସୀଙ୍କୁ କେଉଁଠାରେ ରଖାଯିବ ତାକୁ ନେଇ ଚିନ୍ତାରେ ପଡ଼ିଯାଇଛି ପ୍ରଶାସନ ।
ଆଜି 536 ଜଣ ପ୍ରବାସୀ କଟକରେ ଆସି ପହଞ୍ଚି ଥିଲେ। ସେମାନଙ୍କୁ ଜଗତସିଂହପୁର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବସ ଯୋଗେ ସ୍ଵାମୀ ବିବେକାନନ୍ଦ ମହାବିଦ୍ୟାଳୟକୁ ଅଣାଯାଇ ଥିଲା। କିନ୍ତୁ ଏତେ ସଂଖ୍ୟକ ପ୍ରବାସୀଙ୍କୁ ରଖିବା ପାଇଁ ସ୍ଥାନ ଅଭାବ ଦେଖାଦେବାରୁ ସେମାନଙ୍କୁ ନିଜ ନିଜ ବ୍ଲକ କ୍ବାରେଣ୍ଟାଇନ କେନ୍ଦ୍ରକୁ ପଠାଇ ଦିଆଯାଇଛି । ତେବେ ଏହି ପ୍ରବାସୀ ମନେ ଗୁଜୁରାଟ, ମହାରାଷ୍ଟ୍ର, କୋଲକାତା,ହାଇଦ୍ରାବାଦ, ଓ ସୁରତରୁ ଫେରିଥିବା ପ୍ରଶାସନ କହିଛି।
ତେବେ ନିର୍ଦ୍ଧାରିତ ସଂଖ୍ୟା ଠାରୁ ଅଧିକ ପ୍ରବାସୀ ଆସୁଥିବାରୁ ତୁରନ୍ତ ପୌରାଞ୍ଚଳ ଓ ଗ୍ରାମାଞ୍ଚଳରେ ସେମାନଙ୍କୁ ରଖିବାର ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି।
ଜଗତସିଂହପୁରରୁ ସୁଶାନ୍ତ କୁମାର ପାତ୍ର, ଇଟିଭି ଭାରତ