ଜଗତସିଂହପୁର: 1999 ମହାବାତ୍ୟାକୁ ପୁରିଛି 24 ବର୍ଷ । 1999 ଅକ୍ଟୋବର 29ତାରିଖରେ ଓଡ଼ିଶାରେ ତାଣ୍ଡବ ରରିଥିଲା ପ୍ରଳୟଙ୍କାରୀ ମହାବାତ୍ୟା । ଏହି ମହାବାତ୍ୟାର ସର୍ବାଧିକ ପ୍ରଭାବ ଜଗତସିଂହପୁରରେ ଦେଖିବାକୁ ମିଳିଥିଲା । ତେବେ ଏହି ମହାବାତ୍ୟାର ୨୪ ବର୍ଷ ପୂର୍ତ୍ତି ଅବସରରେ ମହାବାତ୍ୟାର ଶିକାର ହୋଇ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ପାଇଁ ରବିବାର ସନ୍ଧ୍ୟାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସାମୁହିକ ଦୀପଦାନ ସହିତ ସ୍ମୃତି ଚାରଣ କାର୍ଯ୍ୟକ୍ରମ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହି ସଭାର ଆୟୋଜନ କରାଯାଇଥିଲା ।
ଏହି ସ୍ମୃତି ସଭାରେ ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି ଯୋଗ ଦେଇ ସେଦିନର ସେହି ମହାବାତ୍ୟାର କରୁଣ ଚିତ୍ରକୁ ମନେ ପକାଇଥିଲେ । ସେ କହିଥିଲେ, "ସେଦିନର ସେହି କଳା ଦିନକୁ 24 ବର୍ଷ ବିତିଯାଇଥିଲେ ମଧ୍ୟ ଜଗତସିଂହପୁର ଜିଲ୍ଲାବାସୀଙ୍କ ମନରୁ ଆଜିଯାଏଁ ସେ ଦୃଶ୍ୟ ଲିଭିନାହିଁ। ୧୯୯୯ ମସିହା ଅକ୍ଟୋବର ମାସ ୨୯ ତାରିଖର ସେହି କାଳ ରାତ୍ରୀର ତାଣ୍ଡବ ୧୫ ହଜାର ଲୋକଙ୍କ ଜୀବନ ନେଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ପାରୁଲ ପଟୱାରୀ, ଅତିରିକ୍ତ ଜିଲ୍ଲାପାଳ ଚିନ୍ମୟୀ ବିଶ୍ୱାଳ ଏହି ସଭାରେ ଯୋଗ ଦେବା ସହ ଦୀପଦାନ କରି 1999 ମସିହା ଅକ୍ଟୋବର ମାସ ମହାବାତ୍ୟାରେ ପ୍ରାଣ ହରାଇଥିବା ବ୍ୟକ୍ତି ମାନଙ୍କ ଉଦ୍ଧେଶ୍ୟରେ ସାମୂହିକ ଦୀପଦାନ ସହିତ ନୀରବ ପ୍ରାର୍ଥନା କରିଥିଲେ।
ଏହାମଧ୍ୟ ପଢନ୍ତୁ..1999 super cyclone: ଅଙ୍ଗେଲିଭା ଭୟାବହତା ବଖାଣିଲେ ବୌଦ୍ଧ ଜିଲ୍ଲାପାଳ
ତେବେ 1999ରେ ହୋଇଥିବା ସେହି ଭୟଙ୍କର ମହାବାତ୍ୟାର ସ୍ମୃତି ଜଗତସିଂହପୁରବାସୀଙ୍କ ମନରେ ସବୁବେଳେ ଅଭୁଲା ହୋଇ ରହିବ । ପବନର ଗତି ଚାହୁଁ ଚାହୁଁ ଘଣ୍ଟାପ୍ରତି ୩୦୦ କିଲୋମିଟର ବେଗରେ ବହିଥିଲା । ଫଳରେ ଜିଲ୍ଲାର ଏରସମା ବ୍ଲକ ଜପା ପଞ୍ଚାୟତର ଦହିବର, ଝାଟିପାରି, ଖୋଳପା, ଧୋବେଇ, ସେହିପରି ଅମ୍ବିକି ପଂଚାୟତର କାଙ୍କଣ, ଗଡ଼ବିସନ ପୁର, ନଳଭେଡି, ବାଲିକୁଦା ବ୍ଲକର ମରିଚପୁର, ନହରଣା, ବୋରିକିନା, ତିତିରା, ପଦ୍ମପୁର ଅଞ୍ଚଳ ସମ୍ପୂର୍ଣ୍ଣ ଛାରଖାର ହୋଇ ଯାଇଥିଲା । ଏଥିରେ ହଜାର ହଜାର ଲୋକଙ୍କ ଜୀବନ ଯାଇଥିବା ବେଳେ ଲକ୍ଷ ଲକ୍ଷ ଗୃହପାଳିତ ପଶୁପକ୍ଷୀ ପ୍ରାଣ ହରାଇଥିଲେ । ଅନେକ ବିଶାଳକାୟ ବୃକ୍ଷ, ଘରଦ୍ବାର ମାଟିରେ ମିଶିଯାଇଥିଲା । ସେଦିନ ମୃତ୍ୟୁର ସୌଦାଗର ପାଲଟିଥିଲା ମହାବାତ୍ୟା। କେତେ ପରିବାର ନିଶ୍ଚିହ୍ନ ହୋଇ ଯାଇଥିଲେ । ବାତ୍ୟାର ପ୍ରକୋପରେ ଲୁଣିପାଣି ମାଡ଼ି ଆସିବା ଫଳରେ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା । ସେଦିନର ସେ ଦୁଃଖ ଯନ୍ତ୍ରଣା ଆଜି ଯାଏଁ ମଧ୍ୟ ଲୋକେ ଭୁଲି ପାରି ନାହାଁନ୍ତି । ମହାବାତ୍ୟାରେ ସେଦିନ ଏରସମା ବ୍ଲକ ଅନ୍ତର୍ଗତ ଦହିବର ଗ୍ରାମରେ ୫୮୭ ଜଣଙ୍କର ମୃତ୍ୟୁ ହୋଇଥିଲା ।
ଇଟିଭି ଭାରତ, ଜଗତସିଂହପୁର