ଜଗତସିଂହପୁର/ଭୁବନେଶ୍ବର: ଆଜକୁ ଠିକ ୨୩ ବର୍ଷ ତଳର ସେହି କଳା ଦିନକୁ ଭୁଲିପାରି ନାହାଁନ୍ତି ଜଗତସିଂହପୁର ଜିଲ୍ଲାବାସୀ । ସେଦିନ ଥିଲା ୧୯୯୯ ମସିହା ଅକ୍ଟୋବର ମାସ (1999 Super cyclonic storm) ୨୯ ତାରିଖ । ବଙ୍ଗୋପସାଗରର ଅଣ୍ଡାମାନ ନିକଟରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇ ଭୀଷଣକାୟ ରୂପ ଧରି ମାଡ଼ିଆସିଲା ଓଡ଼ିଶା ଉପକୂଳ ଆଡକୁ । ଏରସମା ନିକଟରେ ଲ୍ୟାଣ୍ଡଫଲ କଲା ଏହି ମହାବାତ୍ୟା । ଏହାର ପ୍ରଭାବରେ ଘଣ୍ଟାକୁ ୩୦୦ କିଲୋମିଟର ବେଗରେ ପବନ ବହିଲା । ୩୦ ଫୁଟରୁ ଅଧିକ ଉଚ୍ଚରେ ମାଡି ଆସିଲା ସାମୁଦ୍ରିକ ଜୁଆର । ଜଳମଗ୍ନ ହେଲା ଏରସମା ବ୍ଲକର ଜପା, ଦହିବର, ଟାଙ୍କଳ ପ୍ରଭୃତି ଗାଁ । ଲୋକେ ପୋକମାଛି ପରି ଭାସିଗଲେ । ଚାରିଆଡେ କୁଢ଼କୁଢ଼ ମୃତଦେହ । ଆର୍ତ୍ତ ଚିତ୍କାରରେ ଫାଟିପଡୁଥିଲା ସେଦିନର ସେହି ପରିବେଶ । ଶ୍ମଶାନ ହୋଇ ଯାଇଥିଲା ସମଗ୍ର ଜଗତସିଂହପୁର ଜିଲ୍ଲା । ଆଜି ପ୍ରଳୟଙ୍କରୀ ବାତ୍ୟାକୁ ୨୩ବର୍ଷ ପୁରିଥିବାବେଳେ ସେହି ଦିନକୁ ମନେପଡିଲେ ଏବେବି ଶିହରି ଉଠନ୍ତି ଉପକୂଳବାସୀ ।
ମହାବାତ୍ୟାର କରାଳ ରୂପ:-
୧୯୯୯ ମହାବାତ୍ୟା ସମୟରେ ପବନର ବେଗ ୩୫୦ କିଲୋମିଟର ଉପରେ । ଭୟଙ୍କର ଗର୍ଜନ କରି ମାଡିଆସିଥିଲା ବାତ୍ୟା । କାହା ପାଖରେ ବୁଝିବା ପାଇଁ ସମୟ ନଥିଲା । ପ୍ରଳୟଙ୍କାରୀ ବାତ୍ୟା ବହୁ କ୍ଷତି ଘଟାଇଥିଲା । ୧୪ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି । ଘର ଭାସିଗଲା, ଗାଈଗୋରୁ ଭାସିଗଲେ, ସ୍ବାମୀ ଆଗରେ ସ୍ତ୍ରୀ ଭାସିଗଲା ଆଉ ସ୍ତ୍ରୀ ଆଗରେ ପିଲାମାନେ । ଚାରିଆଡେ କୋହଭରା ଦୃଶ୍ୟ । ବାତ୍ୟା ଛିଡା ଯିବା ପରର କରୁଣ ଦୃଶ୍ୟ । ଚାରିଆଡେ କୁଢ କୁଢ ମୃତଦେହ । ଜଟାଧାରୀ ମୁହାଣରୁ ଦେବୀ ମୁହାଣ ମଧ୍ୟରେ ମାଡ଼ ହୋଇଥିଲା ମହାବାତ୍ୟା । ସବୁଠୁ ଅଧିକ କ୍ଷତିଗ୍ରସ୍ତ ଏରସମା ବ୍ଲକର ୨୫ ପଞ୍ଚାୟତ ଏବଂ ବାଲିକୁଦା ବ୍ଲକର ୭ ପଞ୍ଚାୟତ । ୧୦ ହଜାରରୁ ଅଧିକ ମୃତ୍ୟୁ, ୩୦ ହଜାର ଗାଈଗୋରୁ ଭାସିଗଲେ, ୨୭ ହଜାର ଚାଳ ଘର ସମୁଦ୍ର ଢେଉରେ ଲୀନ ହୋଇଗଲା ।
ଆଜି ୨୨ ବର୍ଷ ପରେ ଏସବୁ ଦୃଶ୍ୟ ମନେ ପଡିଲେ ରୋମ ଟାଙ୍କୁରି ଉଠେ । ଆଉ ଏହାକୁ ଅଙ୍ଗେ ନିଭେଇଥିବା ବରିଷ୍ଠ ନେତା ଦାମୋଦର ରାଉତ କହିଛନ୍ତି, "ଏହି ମହାବାତ୍ୟା ଆମକୁ ବଡ ଶିକ୍ଷା ଦେଇଛି । ଏବେ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହୋଇସାରିଲାଣି, ସ୍କୁଲ ଘର ନିର୍ମାଣ ହୋଇଗଲାଣି । ତଳିଆ ଅଞ୍ଚଳରୁ ଲୋକମାନଙ୍କୁ ସହଜରେ ସ୍ଥାନାନ୍ତର କରାଯାଉଛି । ତେଣୁ ଆଗ ଭଳିଆ ଭୟ ନାହିଁ । ମହାବାତ୍ୟା ଆମକୁ ଏହା ଶିଖାଇ ଯାଇଛି ।" ସେଦିନର ସେହି ମହାବାତ୍ୟାରେ ବିପନ୍ନ ହୋଇଥିଲେ ୩ ଲକ୍ଷ ଲୋକ । ସରକାରୀ ହିସାବ ଅନୁଯାୟୀ ୧୭ ଶହ ଲୋକ ମୃତ୍ୟୁବରଣ କରିଥିବା ରିପୋର୍ଟ ଦର୍ଶାଯାଉଥିବା ସମୟରେ ବେସରକାରୀ ହିସାବରେ ୫ ହଜାରରୁ ଅଧିକ ଲୋକ ଏଥିରେ ମୃତ୍ୟୁବରଣ କରିଥିଲେ। ଏରସମାର କେତେକ ଗ୍ରାମ ସମ୍ପୂର୍ଣ୍ଣ ଜନଶୂନ୍ୟ ହୋଇଯାଇଥିଲା ।
ଏହା ବି ପଢନ୍ତୁ- Super Cyclone: ବିନାଶକୁ ପୂରିଲା 23 ବର୍ଷ, ଦିନ ଯାଇଛି ଚିହ୍ନ ରହିଛି
ସେଦିନର ସେ କରାଳ ରାତ୍ରିର କଥା ମନେ ପଡିଗଲେ ଆଜି ବି ଜିଲ୍ଲାବାସୀଙ୍କ ଦେହ ଶିତେଇ ଉଠେ । ଏହା ଭିତରେ ବିତି ଯାଇଛି ୨୩ ବର୍ଷ । ପୁଣି ଅଣ୍ଟା ସଳଖିଲାଣି ଜଗତସିଂହପୁର ଜିଲ୍ଲା । ସ୍ଥାନୀୟ ଅଞ୍ଚଳରେ କଚ୍ଚା ଘର ଗୁଡିକ ଏବେ ପକ୍କା ହେଲାଣି । ସରକାର ମଧ୍ୟ ସଚେତନ ହେବା ସହ ସମୁଦ୍ର କୁଳିଆ ଗ୍ରାମର ବାତ୍ୟା ଆଶ୍ରୟ ସ୍ଥଳ ନିର୍ମାଣ ସହିତ ବାତ୍ୟାର ଆଗୁଆ ସୂଚନା ପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ବ୍ୟବହାର କଲେଣି । ଯାହାଦ୍ୱାରା ଲୋକେ ବାତ୍ୟା ହେଉ କି ସୁନାମି ଏହାର ଆଗୁଆ ସୂଚନା ପାଇ ସତର୍କ ହୋଇ ରହିଛନ୍ତି । ତଥାପି ସେଦିନର ସେ କଳା ଦିନ ଆଜିବି ଲୋକଙ୍କ ମନରୁ ଲିଭିନି ।
ଭବିଷ୍ୟତରେ ବାତ୍ୟା ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି:-
୧୯୯୯ ପରେ ଆଉ ୬ଟି ବାତ୍ୟା ଆସିଛି ସତ । କିନ୍ତୁ କେବେ ଏତେ କ୍ଷୟକ୍ଷତି ହୋଇନାହିଁ । ଏନଡିଆରଏଫ ପ୍ରସ୍ତୁତ, ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରଶାସନିକ କଳ ପ୍ରସ୍ତୁତ । ୧୯୯୯ରେ ଆନ୍ଧ୍ର ସରକାର ଆସି ଓଡିଶା ରାସ୍ତାରୁ ଗଛ ହଟାଇଥିଲେ । କିନ୍ତୁ ୨୦୧୩-୧୪ରେ ଆସିଥିବା ବାତ୍ୟାରେ ଯେତେବେଳେ ଆନ୍ଧ୍ରର ବ୍ୟାପକ କ୍ଷୟକ୍ଷତି ହୋଇଥିଲା ସେତେବେଳେ ଓଡିଶାର ଡିଜାଷ୍ଟର ମ୍ୟାନେଜମେଣ୍ଟ ଟିମ ଯାଇ ଆନ୍ଧ୍ରକୁ ସହାୟତା କଲା । ଏଥିରୁ ଗୋଟିଏ କଥା ସ୍ପଷ୍ଟ ଯେ ୧୯୯୯ ମହାବାତ୍ୟା ପରେ ଆମେ କୌଣସି ବି ବାତ୍ୟାର ମୁକାବିଲା ପାଇଁ, ମୁଖ୍ୟମନ୍ତ୍ରୀଙ୍କ ନାରା ଜିରୋ କାଜୁଆଲିଟିକୁ ବଳବତ୍ତର ରଖିବା ପାଇଁ ପ୍ରସ୍ତୁତ ଅଛୁ ବୋଲି କହିଛନ୍ତି ଏସିଆରସି(SRC) ପ୍ରଦୀପ ଜେନା । ବାତ୍ୟା ମୁକାବିଲା ପାଇଁ ଓଡିଶା ସରକାର ଡିଜାଷ୍ଟାର ମ୍ୟାନେଜମେଣ୍ଟ ଆକ୍ଟ ମଧ୍ୟ ଆଣିଛନ୍ତି, ଯାହା ସାରା ଦେଶ ପାଇଁ ବିପର୍ଯ୍ୟୟ ମୁକାବିଲା ପାଇଁ ମାର୍ଗଦର୍ଶକ ସାଜିଛି ।
ଏବେ ପ୍ରାକୃତିକ ବିପର୍ଯ୍ୟୟ ପୂର୍ବରୁ ଆମେ ପୂର୍ବରୁ ସୂଚନା ପାଉଛେ । ତଳିଆ ଅଞ୍ଚଳ ଲୋକଙ୍କୁ ସ୍ଥାନାନ୍ତର କରାଯାଉଛି । ଗୃହପାଳିତ ପଶୁଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଉଛି । ଆଗଭଳି ଆଉ ଜୀବନ ହାନି ଘଟୁନାହିଁ । କେବଳ ଗୋଟିଏ ଅବଶୋଷ ରହିଯାଇଛି, ସମସ୍ତଙ୍କ ମୁଣ୍ଡ ଉପରେ ପକ୍କାଘର । କେବଳ ରାଜ୍ୟ ସରକାର କେନ୍ଦ୍ରର ସହାୟତାରେ ସମସ୍ତଙ୍କ ମୁଣ୍ଡ ଉପରେ ପକ୍କାଘର କରନ୍ତେ ତେବେ ବୋଧହୁଏ ଆଉ ଲୋକଙ୍କ ମନରେ ବାତ୍ୟା ଛନକା ରୁହନ୍ତା ନାହିଁ ।
ଇଟିଭି ଭାରତ, ଜଗତସିଂହପୁର ଓ ଭୁବନେଶ୍ବର