ଭଞ୍ଜନଗର: ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଜଗନ୍ନାଥ ପାଟଣାରେ ଅଘଟଣ । କୂଅ ସଫା କରିବା ସମୟରେ ଶ୍ବାସରୁଦ୍ଧ 2 ଭାଇଙ୍କ ମୃତ୍ୟୁ ହୋଇଛି । ଘଟଣାରେ ଅନ୍ୟ ଜଣେ ଗୁରୁତର ମଧ୍ୟ ହୋଇଛନ୍ତି । ମୃତକ 2 ଭାଇ କୈଳାଶ ପ୍ରଧାନ ଓ ଟୁକୁନା ପ୍ରଧାନ ହୋଇଥିବା ବେଳେ ଗୁରୁତରଙ୍କ ନାଁ ବାବୁ ପ୍ରଧାନ ବୋଲି ଜଣାପଡିଛି । ବାବୁଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
3 ଜଣ ନିଜ ଘରର ବାଡିପଟେ ଥିବା ନନ୍ଦ କୂଅକୁ ସଫା କରିବାକୁ ଯାଇ ଜଣେ ପରେ ଜଣେ ଶ୍ବାସରୁଦ୍ଧ ହୋଇପଡିଥିଲେ । ପରିବାର ଲୋକଙ୍କ କାନ୍ଦବୋବାଳି ଶୁଣି ସାହି ପଡିଶା ଲୋକ ଆସି ଦୁଇଜଣଙ୍କୁ ଉଦ୍ଧାର କରିଥିବା ବେଳେ ଶେଷରେ ଦମକଳ ବାହିନୀ ପହଞ୍ଚି ଅନ୍ୟ ଜଣକୁ ଉଦ୍ଧାର କରିଥିଲା । ସମସ୍ତଙ୍କୁ ଜଗନ୍ନାଥପ୍ରସାଦ ମେଡିକାଲକୁ ନିଆଯାଇଥିବା ବେଳେ ସେଠାରେ ଡାକ୍ତର କୈଳାଶ ପ୍ରଧାନ ଓ ଟୁକୁନା ପ୍ରଧାନଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପକ୍ଷେ ଗୁରୁତର ବାବୁକୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।
ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ