ବ୍ରହ୍ମପୁର: ଋଷିକୂଲ୍ୟା ନଦୀରେ ଅଘଟଣ । ନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଦୁଇ ଭାଇ । ସେମାନଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣଙ୍କ ପତ୍ତା ମିଳିପାରି ନାହିଁ । ଏନେଇ ନଦୀରେ ଖୋଜାଖୋଜି ଜାରି ରଖିଛି ଓଡ୍ରାଫ ଟିମ ଓ ଅଗ୍ନିଶମ ବିଭାଗ । ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶୋଳଘର ନିକଟରେ ଥିବା ଋଷିକୂଲ୍ୟା ନଦୀରେ ଘଟିଛି ଏହି ଅଭାବନୀୟ ଘଟଣା । ଉଭୟ ନାବାଳକ ହୋଇଥିବା ବେଳେ ଜଣଙ୍କ ନାମ କାହ୍ନୁ ଚରଣ ମହାନ୍ତି ଓ ଅନ୍ୟ ଜଣେ ହେଉଛନ୍ତି କୃଷ୍ଣ ଚନ୍ଦ୍ର ମହାନ୍ତି । କାହ୍ନୁଙ୍କୁ ଉଦ୍ଧାର କରାଯାଇଥିବା ବେଳେ କୃଷ୍ଣଙ୍କ ପତ୍ତା ମିଳିପାରି ନାହିଁ ।
ମିଳିଥିବା ସୂଚନା ଅନୁଯାୟୀ ପୁରଷୋତ୍ତମପୁର ଶୋଳଘରର ସନ୍ତୋଷ ମହାନ୍ତି ବ୍ରହ୍ମପୁରରେ ରହୁଥିବା ବେଳେ ଦୀପାବଳି ଉତ୍ସବ ପାଳନ କରିବା ଲାଗି ସୋମବାର ନିଜ ଗ୍ରାମକୁ ଆସିଥିଲେ। ତେବେ ଆଜି ତାଙ୍କର ଦୁଇ ପୁଅ କୃଷ୍ଣ ଚନ୍ଦ୍ର ମହାନ୍ତି ଓ କାହ୍ନୁ ଚରଣ ମହାନ୍ତି ସାଙ୍ଗ ହୋଇ ଗ୍ରାମ ନିକଟସ୍ଥ ଋଷିକୁଲ୍ୟା ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ହଠାତ୍ ପାଣିସ୍ରୋତରେ ଭାସି ଯାଇଥିଲେ ।
ଏହା ମଦ୍ୟ ପଢନ୍ତୁ-Dhamnagar By Poll: ବେଆଇନ କାର୍ଯ୍ୟ କରୁଛି ବିଜେପି, ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି
ଏହା ଦେଖି ସ୍ନାନ କରିବାକୁ ଯାଇଥିବା ଅନ୍ୟ ଜଣେ ମହିଳା ସାହାସିକତାର ସହ ପାଣି ମଧ୍ୟରେ ପଶି ସାନଭାଇ କାହ୍ନୁ ଚରଣଙ୍କୁ ଉଦ୍ଧାର କରିଥିବା ବେଳେ ବଡଭାଇ କୃଷ୍ଣ ଚନ୍ଦ୍ର ପାଣି ସ୍ରୋତରେ ଭାସି ଯାଇଥିଲେ। ଉଦ୍ଧାର ହୋଇଥିବା କାହ୍ନୁଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହିଛି । ଏନେଇ ଖବରପାଇ ପୁରୁଷୋତ୍ତମପୁର ବିଡିଓ ବିଜୟ କୁମାର ବେହେରା ,ତହସିଲଦାର ସନ୍ତୋଷ କୁମାର ସାହୁ, ଅତିରିକ୍ତ ତହସିଲଦାର ସୁନିଲ କୁମାର ଟୁଡୁ ଘଟଣାସ୍ଥଳରେ ପହଞ୍ଚି ଓଡ୍ରାଫ ଟିମ ଓ ପୁରୁଷୋତ୍ତମପୁର ଅଗ୍ନିଶମବାହିନୀକୁ ଖବର ଦେଇଥିଲେ । ଉଭୟେ ଓଡ୍ରାଫ ଓ ଦମକଳ ବାହିନୀ କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ନଦୀର ପାଣି ସ୍ରୋତରେ ବୋଟ ମାଧ୍ୟମରେ ଖୋଜିବାରେ ଲାଗିଥିବା ବେଳେ ଗ୍ରାମବାସୀ ମଧ୍ୟ ଖୋଜାଖୋଜି ଜାରି ରଖିଛନ୍ତି । ଏହାକୁ ନେଇ ଗ୍ରାମରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଛି।
ବ୍ରହ୍ମପୁର, ଇଟିଭି ଭାରତ