ବ୍ରହ୍ମପୁର: ବରିଷ୍ଠ ନାଗରିକ ସହ ସହରବାସୀଙ୍କ ଧାରଣା ପରେ ଶେଷରେ ଗଞ୍ଜାମ ରେଳ ଷ୍ଟେସନରେ ଦ୍ରୁତଗାମୀ ଟ୍ରେନ ରହଣି ନେଇ ମିଳିଛି ପ୍ରତିଶ୍ରୁତି । ଗଞ୍ଜାମ ଷ୍ଟେସନରେ ଦ୍ରୁତଗାମୀ ଟ୍ରେନ ରହଣି ଦାବିରେ ସ୍ଥାନୀୟ ବରିଷ୍ଠ ପୌରାଞ୍ଚଳ ନାଗରିକ ପରିଷଦ ପକ୍ଷରୁ ଷ୍ଟେସନ ସମ୍ମୁଖରେ ଧାରଣା ଦିଆଯାଉଥିଲା । ଶୁକ୍ରବାର ଦାବି ପୂରଣ ସଂକ୍ରାନ୍ତରେ ଆଲୋଚନା ପରେ ଧାରଣାକୁ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି ।
ଆଗାମୀ ୧୫ରୁ ୪୫ ଦିନ ମଧ୍ୟରେ ପୁରୀ- ତିରୁପତି ଏକ୍ସପ୍ରେସ ଟ୍ରେନ ଗଞ୍ଜାମ ରେଳ ଷ୍ଟେସନଠାରେ ରହିବା ଉପରେ ନିଷ୍ପତ୍ତି ନିଆଯିବ ବୋଲି ଖୋର୍ଦ୍ଧା ରେଳ ଡ଼ିଭିଜନର ଡିଭିଜିନାଲ କମର୍ସିଆଲ ମ୍ୟାନେଜର ଗିରିଶ ଚନ୍ଦ୍ର ନାୟକ ଲିଖିତ ପ୍ରତିଶ୍ରୁତି ଦେଇଛନ୍ତି । ଏହାପରେ ଧାରଣାକୁ ସ୍ଥଗିତ ରଖାଯାଇଥିବା ବରିଷ୍ଠ ନାଗରିକଙ୍କ ପକ୍ଷରୁ ସୂଚନା ଦିଆଯାଇଛି l ତେବେ ଟ୍ରେନ ରହଣି ନେଇ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଚିଠି ଲେଖି ଅବଗତ କରାଇଥିବା ବେଳେ ରେଳ ବିଭାଗକୁ ମଧ୍ୟ ଉକ୍ତ ଚିଠିକୁ ପ୍ରଦାନ କରିଥିବା ଜଣାଯାଇଛି । ଏପରିକି ବରିଷ୍ଠ ନାଗରିକଙ୍କ ପକ୍ଷରୁ ରେଳ ରାଷ୍ଟ୍ରମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା l
ତେବେ ଏହି ଆଲୋଚନା ସମୟରେ ରେଳ ବିଭାଗର ଏଏସସି ସତୀଶ ଚନ୍ଦ୍ର ସାହେ ଉପସ୍ଥିତ ଥିଲେ l ସେପଟେ ଗଞ୍ଜାମ ରେଳ ଷ୍ଟେସନ ସମ୍ମୁଖରେ ଚାଲିଥିବା ଆନ୍ଦୋଳନରେ ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା, ବରିଷ୍ଠ ପୌରାଞ୍ଚଳ ପରିଷଦ ସଭାପତି ଲିଙ୍ଗରାଜ ପଟ୍ଟନାୟକ, ବରିଷ୍ଠ ସଦସ୍ୟ ବିନୋଦ ଚନ୍ଦ୍ର ମହାପାତ୍ର, ଉପସଭାପତି ରବୀନ୍ଦ୍ର କୁମାର ପଣ୍ଡା, ମଙ୍ଗରାଜ ପଣ୍ଡା, ପୂର୍ବତନ ବ୍ଲକ ଅଧକ୍ଷ ସୁରଥ ପାହାନ, ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରାଙ୍କ ସମେତ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ l
ଏହା ମଧ୍ୟ ପଢନ୍ତୁ- ହେମଗିରି ରେଲୱେ ସଂଗ୍ରାମ ସମିତିର ରେଳରୋକ ଆନ୍ଦୋଳନ
ପ୍ରକାଶ ଥାଉକି, କିଛି ଦିନ ପୂର୍ବେ ରାଉରକେଲା ହେମଗିରିରେ ୩ ଦଫା ଦାବି ନେଇ ୧୨ ଘଣ୍ଟିଆ ରେଳରୋକ ଆନ୍ଦୋଳନ ହୋଇଥିଲା । ଏହି ବନ୍ଦ ପାଳନ ଯୋଗୁଁ ସମ୍ପୂର୍ଣ୍ଣ ହେମଗିରି ଏବଂ କନିକା ଅଞ୍ଚଳର ଦୋକାନ ବଜାର ଓ ଗାଡି ଚଳାଚଳ ଠପ୍ ହୋଇପଡିଥିଲା । ଏଥିସହ ଏହି ରେଳ ଷ୍ଟେସନ ଦେଇ ଯାତାୟତ କରୁଥିବା କିଛି ଟ୍ରେନ ମଧ୍ୟ ଅଟକି ରହିଥିଲା । ତେବେ ହେମଗିରି ଷ୍ଟେସନରେ ଟାଟା ଇତବାରି, ଟାଟା ବିଲାସପୁର, ଉତ୍କଳ ଏକ୍ସପ୍ରେସ୍ରେ ଗାଡ଼ି ରହଣୀ ପାଇଁ ଏହି ଆନ୍ଦୋଳନ କରାଯାଇଥିଲା । ଗତ ସେପ୍ଟେମ୍ବର 4 ତାରିଖ ଦିନ ବିଳାଶପୁର ଜୋନକୁ ଷ୍ଟେସନ ମାଷ୍ଟରଙ୍କ ଜରିଆରେ 3 ଦଫା ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।
ଇଟିଭି ଭାରତ, ବ୍ରହ୍ମପୁର