ଭଞ୍ଜନଗର: ଗଞ୍ଜାମର ଭଞ୍ଜନଗରରେ ପ୍ରେମିକ ଘର ଆଗରେ ଧାରଣା ଦେବା ପରେ ବିବାହ ହୋଇଥିବା ଘଟଣା । ବିବାହକୁ ସପ୍ତାହେ ନବିତୁଣୁ ପ୍ରେମିକାକୁ ଛାଡ଼ି ଫେରାର ହେଲା ପ୍ରେମିକ (Young man escaped within 7 days of wedding) । ତାରସିଙ୍ଗି ଥାନା ଅଧୀନ ଗାଲେରୀ ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା । ଯୁବତୀ ଜଣକ ପ୍ରେମିକଙ୍କ ଘର ସମ୍ମୁଖରେ ଧାରଣା ଦେବା ପରେ ଉକ୍ତ ସ୍ଥାନରେ ଉଭୟଙ୍କ ହାତଗଣ୍ଠି ପଡ଼ିଥିଲା । ହେଲେ ଏବେ ପ୍ରେମିକ ଫେରାର ଥିବା ଯୁବତୀ ଜଣକ ସୂଚନା ଦେଇଛନ୍ତି ।
ଗତ ତିନି ବର୍ଷ ଧରି ଗାଲେରି ଗ୍ରାମର ଦୁଷ୍ମନ୍ତ ସାହୁଙ୍କ ସହ ବ୍ରହ୍ମପୁର ବାସିନ୍ଦା ଟିନା ସାହୁଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଦୁହେଁ ପରସ୍ପରକୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଦୁଷ୍ମନ୍ତଙ୍କ ପରିବାର ଲୋକେ ଟିନାଙ୍କ ସହ ବିବାହ କରିବାକୁ ବାରଣ କରିଥିଲେ । ପରେ ଦୁଷ୍ମନ୍ତ ପରିବାର ଲୋକଙ୍କ କଥାରେ ପଡି ଟିନାଙ୍କ ସହ କଥାବାର୍ତ୍ତା ବନ୍ଦ କରି ଦେଇଥିଲେ ବୋଲି ଟିନା ଅଭିଯୋଗ ଆଣିଥିଲେ । ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ବନ୍ଦ ହେବା ପରେ ଟିନା ଆସି ଦୁଷ୍ମନ୍ତଙ୍କ ଘର ଆଗରେ ୫ଦିନ ଧରି ଧାରଣାରେ ବସିଥିଲେ ।
ଏହା ବି ପଢନ୍ତୁ- ପ୍ରେମିକ ଘର ବାରଣ୍ଡାରେ ବସି ନିଜ ହକ ପାଇଲା ପ୍ରେମିକା, ଗାଁ ଦାଣ୍ଡରେ ହେଲା ବାହାଘର
ଏହାପରେ ସମାଜସେବୀ ପ୍ରମିଳା ତ୍ରିପାଠୀ ଆସି ଧାରଣାସ୍ଥଳରେ ପହଁଞ୍ଚିଥିଲେ । ପୁଅ ଘର ପରିବାର ଲୋକଙ୍କ ସହ ପ୍ରମିଳା ଆଲୋଚନା କରିଥିଲେ । ସରପଞ୍ଚ ଓ ଗାଁ ଲୋକଙ୍କ ଉପସ୍ଥିତିରେ ଗାଁ ଦାଣ୍ଡରେ ଦୁଷ୍ମନ୍ତ ଓ ଟିନାର ବିବାହ ହୋଇଥିଲା । ଧାରଣାସ୍ଥଳ ପାଲଟିଥିଲା ବିବାହ ମଣ୍ଡପ । ସ୍ଥାନୀୟ ବାସିନ୍ଦା ଏହି ବିବାହର ସାକ୍ଷୀ ରହିଥିଲେ । ବିବାହ ହୋଇ ସାରିବା ପରେ ଉଭୟ ବ୍ରହ୍ମପୁରକୁ ଯାଇ ୩ଦିନ ଧରି ରହିବା ପରେ ଦୁଷ୍ମନ୍ତ ଟିନାକୁ ବାହାରକୁ ଯିବା କହି ଷ୍ଟେସନକୁ ନେଇ ଯାଇଥିଲେ । ସେଠାରୁ ପାଣି ବୋତଲ ଆଣିବାକୁ ଯିବି କହି ଦୁଷ୍ମନ୍ତ କୁଆଡେ ଚାଲି ଯାଇଥିବା ଟିନା କହିଛନ୍ତି ।
ଦୁଷ୍ମନ୍ତ ଆସିବାରେ ବିଳମ୍ବ କରିବାରୁ ଟିନା ଚାରିଆଡେ ବହୁ ଖୋଜାଖୋଜି କରିଥିଲେ । ମାତ୍ର ଦୁଷ୍ମନ୍ତଙ୍କ ପତ୍ତା ମିଳିନଥିଲା । କେଉଁଠି ବି ଦୁଷ୍ମନ୍ତଙ୍କୁ ନ ପାଇବାରୁ ପୁଣି ଟିନା ଗାଲେରିକୁ ଆସି ୩ଦିନ ଧରି ଧାରଣାରେ ବସିବା ପରେ ଏବେ ଶ୍ବଶୁର ଘର ଦୋକାନ ଘରେ ରହିଛନ୍ତି । ଏ ନେଇ ସମାଜସେବୀ ପ୍ରମିଳା ତ୍ରିପାଠୀ କହିଛନ୍ତି, " ଏହାଏକ ଷଡ଼ଯନ୍ତ୍ର । ପୁଅ ଘର ଯୋଜନା କରି ଏହି ବିବାହ କରିଥିଲେ । ରାସ୍ତା ମଝିରେ ବିବାହ କରିବା ପାଇଁ କହିଥିଲେ । ଏହାପରେ ଯୋଜନା କରି ଦୁଷ୍ମନ୍ତ ପଳାୟନ କରିଛି ।"
ସେପଟେ ଦୁଷ୍ମନ୍ତଙ୍କ ପତ୍ନୀ ଟିନା ସାହୁ କହିଛନ୍ତି, "ମୁଁ ଏବେ ଶ୍ବଶୁର ଘର ଦୋକାନରେ ରହୁଛି । ଗାଁ ଲୋକେ ମୋତେ ଏଠାରେ ରହିବାକୁ କହିଛନ୍ତି । ସମସ୍ତଙ୍କ ଉପସ୍ଥିତିରେ ଏବେ ମୁଁ ଏଠାରେ ରହୁଛି । ବାହାରେ ଶୀତ ଅନୁଭୂତ ହେଉଥିବାରୁ ପଡୋଶୀ ମୋତେ ଏଠାରେ ରଖିଛନ୍ତି । ମୋ ସ୍ବାମୀ ଆସିବା ପର୍ଯ୍ୟନ୍ତ ମୁଁ ଏହିଠାରେ ରହିବି ।"
ଇଟିଭି ଭାରତ, ଭଞ୍ଜନଗର