ବ୍ରହ୍ମପୁର: ଘରୋଇ କଲେଜରେ ଛାତ୍ରଛାତ୍ରୀଙ୍କୁ ରାଗିଂ ଘଟଣାକୁ ସପ୍ତାହେ ନପୁରୁଣୁ ଆସିଛି ଆଉ ଏକ ରାଗିଂ ଅଭିଯୋଗ । ବ୍ରହ୍ମପୁର ଖଲ୍ଲିକୋଟ ଜୁନିଅର କଲେଜରେ ଜଣେ ଯୁକ୍ତ ଦୁଇ କଳା ବିଭାଗର ପ୍ରଥମ ବର୍ଷ ଛାତ୍ରୀଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ଛାତ୍ରୀ ଜଣଙ୍କ କଲେଜର ଅଧ୍ୟକ୍ଷଙ୍କୁ ଘଟଣା ସମ୍ପର୍କରେ ଲିଖିତ ଭାବରେ ଅବଗତ କରିଛନ୍ତି । ଏହି ଅଭିଯୋଗକୁ ନେଇ ମହାବିଦ୍ୟାଳୟର ଆଣ୍ଟି ରାଗିଂ କମିଟି ତଦନ୍ତ କରିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କଲେଜ ଅଧ୍ୟକ୍ଷ ।
ଗତ କିଛି ଦିନ ଧରି ଖଲ୍ଲିକୋଟ ଜୁନିଅର କଲେଜରେ ରାଗିଂ ହେଉଥିବା ଛାତ୍ରୀ ଅଭିଯୋଗ କରିଛନ୍ତି । ଯୁକ୍ତଦୁଇ ପ୍ରଥମ ବର୍ଷର କଳା ବିଭାଗର ଛାତ୍ରୀଙ୍କୁ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀ କ୍ରମାଗତ ଭାବରେ କ୍ଲାସ ରୁମ୍ରେ ବିଭିନ୍ନ ପ୍ରକାର ଗାଳିଗୁଳଜ କରୁଛନ୍ତି । ଏହା ସହିତ ସହିତ କ୍ଲାସ ରୁମ୍ ବାହାରେ ମଧ୍ୟ ସିନିଅରମାନେ ହଇରାଣ କରି ରାଗିଂ କରୁଥିବା ନେଇ ଛାତ୍ରୀ ଜଣଙ୍କ କଲେଜ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି ।
ସେପଟେ କଲେଜ ଅଧ୍ୟକ୍ଷଙ୍କ କହିଛନ୍ତି ଗତ ସେପ୍ଟେମ୍ବର ମାସରେ ମଧ୍ୟ ମହାବିଦ୍ୟାଳୟରେ ଅନ୍ୟ ଏକ ରାଗିଂ ଅଭିଯୋଗ ଆସିଥିଲା । ଯାହା କଲେଜ କର୍ତ୍ତୃପକ୍ଷ ଏହାକୁ ନେଇ ଆଣ୍ଟିଂ ରାଗିଂ କମିଟି ବୈଠକରେ ଆଲୋଚନା କରିଥିଲେ । ଏଥିରେ ସଂପୃକ୍ତ ରହିଥିବା ଛାତ୍ରଛାତ୍ରୀଙ୍କ ପରିବାରକୁ ଅବଗତ କରାଯିବା ସହିତ ସେମନାଙ୍କୁ କିଛି ଦିନ ପାଇଁ କଲେଜରୁ ସସ୍ପେଣ୍ଡ୍ କରାଯାଇଥିଲା । ଏପରିକି କଲେଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ବ୍ରହ୍ମପୁର ଟାଉନ୍ ଥାନା ପୋଲିସକୁ ଅବଗତ କରାଯାଇଥିଲା । କଲେଜ ପରିସରରେ କିପରି ରାଗିଂ ନହେବ ସେନେଇ ଅନେକ ସଚେତନତା ସହିତ କମିଟି ନଜର ରଖିଥିବା କହିଛନ୍ତି ମହାବିଦ୍ୟାଳୟର ଅଧ୍ୟକ୍ଷ ।
ଇଟିଭି ଭାରତ, ବ୍ରହ୍ମପୁର