ଭଞ୍ଜନଗର: ଭୂତକୋଠି ପାଲଟିଲାଣି ନୂତନ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ । ଉଦଘାଟନର ବର୍ଷେ ପରେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରିନାହିଁ । କୋଟି କୋଟି ବ୍ୟୟ ଅଟକଳରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଠାରେ ନୂତନ ଭାବେ ନିର୍ମାଣ ହୋଇଥିବା ସରକାରୀ କୋଠା ବନ୍ଦ ପଡିଥିବା ନେଇ ଜନ ଅସନ୍ତୋଷ ଦେଖିବାକୁ ମିଳିଛି ।
ନୂତନ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟକୁ ଉଦଘାଟନର ଏକ ବର୍ଷ ବିତିଯାଇଥିଲେ ମଧ୍ୟ କାର୍ଯ୍ୟକ୍ଷମ ନହୋଇ ପୁରୁଣା କୋଠାରେ କାର୍ଯ୍ୟାଳୟ ଚାଲୁଛି। ଆବଶ୍ୟକ ଭିତ୍ତିଭୂମୀ ନଥିବା ଯୋଗୁଁ ଦୂର ଦୂରାନ୍ତରୁ ଆସୁଥିବା ଲୋକମାନେ ଅସୁବିଧାର ସମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ପୁରୁଣା କାର୍ଯ୍ୟାଳୟରେ ଲୋକଙ୍କ ବସିବାକୁ ଜାଗା ନଥିବା ବେଳେ ଗାଡ଼ି ପାର୍କିଂର ମଧ୍ୟ ସୁବିଧା ନାହିଁ । ଏପରିକି ଡ୍ରାଇଭିଙ୍ଗ ଟେଷ୍ଟ ପାଇଁ ଦୂରକୁ ଯିବାକୁ ପଡୁଛି ।
ତେଣୁ ତୁରନ୍ତ ନୂତନ କାର୍ଯ୍ୟାଳୟକୁ ସ୍ଥାନାନ୍ତରିତ ହେବାକୁ ସାଧାରଣରେ ଦାବି ହୋଇଛି । ଅନ୍ୟପଟେ ପୁରୁଣା ପରିବହନ କାର୍ଯ୍ୟାଳୟରେ ଅସୁବିଧା ଥିବା କଥାକୁ ସ୍ୱୀକାର କରିଛନ୍ତି ଆରଟିଓ ଅଧିକାରୀ । ସେ କହିଛନ୍ତି "ନୂତନ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ନିର୍ମାଣ ସରିଛି ଏବଂ ଉଦଘାଟନ ମଧ୍ୟ ସରିଛି କିନ୍ତୁ ସେଠାରେ ଅନେକ କାମ ବାକି ରହିଛି । ଉପରସ୍ତ ଅଧିକାରୀଙ୍କୁ ଜଣାଇଛୁ ସେସବୁ କାମ ସରିବା ପରେ ଅତିଶୀଘ୍ର ନୂତନ କାର୍ଯ୍ୟାଳୟ କାର୍ଯ୍ୟକ୍ଷମ ହୋଇଯିବ ଏବଂ ଲୋକମାନେ ଗୋଟିଏ ସ୍ଥାନରେ ସବୁ ସୁବିଧା ପାଇପାରିବେ" ବୋଲି ଆରଟିଓ ଅଧିକାରୀ ସୂଚନା ଦେଇଛନ୍ତି।
ଇଟିଭି ଭାରତ, ଭଞ୍ଜନଗର