ବ୍ରହ୍ମପୁର: କୋଭିଡ୍ ଭୟରେ ମୃତଦେହକୁ ଛୁଇଁଲେନି ସ୍ଥାନୀୟ ଲୋକ । ଜିଲ୍ଲା ପ୍ରଶାସନ କଲା ଶେଷକୃତ୍ୟ ସମ୍ପନ୍ନ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ପଞ୍ଚାୟତର ଧର୍ମରାୟପୁର ଗ୍ରାମରେ ।
ଗ୍ରାମରେ ୬ ଘଣ୍ଟା ବ୍ୟବଧାନରେ ୭୦ ବର୍ଷୀୟ ମାଆ ତମାଳ ପଣ୍ଡା ଓ ଝିଅ ୪୦ ବର୍ଷୀୟ ନଳିନୀ ଆଚାର୍ଯ୍ୟଙ୍କ ଆକସ୍ମିକ ମୃତ୍ୟୁ ଘଟିଛି । ସ୍ଥାନୀୟ ଲୋକେ କୋରୋନା ସନ୍ଦେହ କରି ମୃତ ମାଆ ଓ ଝିଅଙ୍କୁ ଚାରିକାନ୍ଧ ଦେବାକୁ ରୋକଠକ୍ ମନା କରିଦେଇଥିଲେ । ଖବର ପାଇ ସ୍ଥାନୀୟ ବ୍ଳକ ପ୍ରଶାସନ ଅଧିକାରୀଙ୍କ ଉପସ୍ଥିତିରେ ମୃତଦେହ ସତ୍କାର କରାଯାଇଥିବା ଜଣାପଡ଼ିଛି ।
ସୂଚନାନୁଯାୟୀ ଧର୍ମରାୟପୁର ଗ୍ରାମର ମୃତ ତମାଳ ଗତ ୩ ଦିନ ପୂର୍ବେ ଝିଅ ନଳିନୀ ଘର ବ୍ରହ୍ମପୁରକୁ ଯାଇଥିଲେ । ଶୁକ୍ରବାର ରାତି ସମୟରେ ତମାଳଙ୍କ ଆକସ୍ମିକ ମୃତ୍ୟୁ ପରେ ଝିଅ ଏବଂ ଜ୍ବାଇଁ ଏକ ଆମ୍ବୁଲାନ୍ସରେ ନିଜ ଗ୍ରାମକୁ ଆଣିଥିଲେ । ସ୍ଥାନୀୟ ଲୋକେ କୋରୋନା ସନ୍ଦେହରେ ନଆସିବାରୁ ଜ୍ବାଇଁ ଓ ପୁଅ ସମେତ ଗ୍ରାମର ଦୁଇ ସ୍ବେଚ୍ଛାସେବୀ ବାହାରି ବିଳମ୍ବିତ ରାତିରେ ବୃଦ୍ଧାଙ୍କ ଶେଷକୃତ୍ୟ କରି ଫେରିଥିଲେ । ଏହାର 6 ଘଣ୍ଟା ପରେ ମୃତ ତମାଳଙ୍କ ଝିଅ ନଳିନୀଙ୍କର ମଧ୍ୟ ଆକସ୍ମିକ ମୃତ୍ୟୁ ଘଟିଥିଲା । ଫଳରେ ପରିବାର ଲୋକେ ସ୍ଥାନୀୟ ପ୍ରଶାସନକୁ ଏନେଇ ଖବର ଦେଇଥିଲେ । ଖବର ପାଇ ସାନଖେମୁଣ୍ଡି ବିଡ଼ିଓ ଗାୟତ୍ରୀଦତ୍ତ ନାୟକ, ତହସିଲଦାର ଡ଼ ଶ୍ରୀନିବାସ ବେହେରା ଏବଂ ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲିକଙ୍କ ଉପସ୍ଥିତିରେ ଏରେଣ୍ଡ୍ରା ଗ୍ରାମର ଦୁଇ ସ୍ୱେଚ୍ଛାସେବୀ ବୁଡୁ ବରାଡ, ମଙ୍ଗୁଳୁ ଜେନା, ପୁଅ ଓ ଜ୍ବାଇଁ ସମସ୍ତେ ପ୍ରଶାସନ ପକ୍ଷରୁ ପିପିଇ କିଟ୍ ପରିଧାନ କରି ଶେଷକୃତ୍ୟ ସମ୍ପନ୍ନ କରିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ