ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକର ବୋରଦା ନିକଟରେ ମିନିଟ୍ରକ ଓଲଟି ପଡିବାରୁ କୋଡିଏରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି । ଦୁର୍ଘଟଣା ସଂପର୍କରେ ଖବର ପାଇ ବଡ଼ଗଡ଼ ପୋଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ସେଥିମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ସୂଚନା ଅନୁସାରେ, ବୁଧବାର ଗୌଡ଼ଗୋଠ ପଞ୍ଚାୟତରେ ଚାଉଳ ବଣ୍ଟନ କରାଯାଉଥିଲା । ସେହି ପଞ୍ଚାୟତର ବେସରବଟା, ବାରନାଳିଆ, ଗୋଚ୍ଛା ଗୋଡ଼ା ଗ୍ରାମର ପ୍ରାୟ ଚାଳିଶରୁ ଊର୍ଦ୍ଧ୍ବ ରାସନକାର୍ଡ଼ଧାରୀ ପୁରୁଷ ଓ ମହିଳା ହିତାଧିକାରୀମାନେ ଚାଉଳ ଆଣି ଏକ 407 ମିନିଟ୍ରକରେ ଘରକୁ ଫେରୁଥିଲେ । ହେଲେ ମିନି ଟ୍ରକଟି ବୋରଦା ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ସେଥିରେ ବସିଥିବା ଚାଳିଶ ଜଣଙ୍କ ମଧ୍ୟରୁ କୋଡିଏରୁ ଊର୍ଦ୍ଧ୍ବ ଆହତ ହୋଇଥିଲେ । ସ୍ଥାନୀୟ ଲୋକମାନେ ଆସି ସମସ୍ତଙ୍କୁ ଉଦ୍ଧାର କରି ପୋଲିସକୁ ଖବର ଦେଇଥିଲେ । ଆହତ ମାନଙ୍କୁ ମେଡିକାଲ ନିଆଯାଇଥିବାବେଳେ ଅନ୍ୟ ଏକ ଟ୍ରକ ଯୋଗେ ହିତାଧିକାରୀଙ୍କ ଚାଉଳ ଗ୍ରାମରେ ପହଞ୍ଚାଯାଇଥିବା ସୂଚନା ମିଳିଛି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ