ବ୍ରହ୍ମପୁର: ପୁଣି ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବ ଓଡ଼ିଆ ଫିଲ୍ମ । ଭିନ୍ନ ରୂପରେ ଏବଂ ସମାଜରେ ରହିଥିବା ଅନ୍ଧବିଶ୍ୱାସ, କୁସଂସ୍କାର, ନିଶାମୁକ୍ତ, ପୌଢ ଶିକ୍ଷା ଭଳି ନିଚ୍ଛକ ବାସ୍ତବତାର ବିଭିନ୍ନ ସଚେତନତା ମୂଳକ ବାର୍ତ୍ତା ନେଇ ପ୍ରସ୍ତୁତ କରାଯାଇଛି ଓଡ଼ିଆ ଚଳଚ୍ଚିତ୍ର ତେଜସ୍ୱିନୀ । ଏହି ଚଳଚ୍ଚିତ୍ର ୪୦ଟି ଅନ୍ତର୍ଜାତୀୟ ସ୍ତରରେ ପ୍ରଦର୍ଶିତ ହେବାପରେ 5ଟି ଅନ୍ତର୍ଜାତୀୟ ପୁରସ୍କାର ହାସଲ କରି ଓଡ଼ିଶା ପାଇଁ ଗୌରବ ଆଣିଛି । ତେବେ ଆଜି ଏହି ଫିଲ୍ମର ପୋଷ୍ଟର ରିଲିଜ କରି ନିର୍ମାତା ଏହି ପିଲ୍ମକୁ ଖୁବଶୀଘ୍ର ରାଜ୍ୟରେ ବିଭିନ୍ନ ପ୍ରେକ୍ଷାଳୟରେ ରିଲିଜ କରିବେ ବୋଲି କହିଛନ୍ତି ।
ଶିଶୁକନ୍ଯା ରୁ ବିଦ୍ୟାର୍ଥୀ ଏବଂ ଶିକ୍ଷା ଶେଷ ପରେ କିପରି ଗ୍ରାମରେ ସାମାଜିକ ସଂସ୍କାରଠାରୁ ଆରମ୍ଭ କରି ଅନ୍ଧବିଶ୍ୱାସ, କୁସଂସ୍କାର, ନିଶାମୁକ୍ତ ପଞ୍ଚାୟତ ଗଠନ କରିବା ପାଇଁ ଜୀବନବ୍ୟାପି ଉଦ୍ଯମ ଜାରି ରଖିଥିବା ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀଙ୍କ ଜୀବନ କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଓଡ଼ିଆ ଚଳଚ୍ଚିତ୍ର ତେଜସ୍ୱିନୀ । ଫିଲ୍ମରେ ଅନେକ ସଚେତନତା ବାର୍ତ୍ତା ମଧ୍ୟ ରହିଛି । ତେବେ ବ୍ରହ୍ମପୁର ସହରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଫିଲ୍ମ 'ତେଜସ୍ବିନୀ'ର ପୋଷ୍ଟର ରିଲିଜ କରାଯାଇଛି । ଏହି ସମୟରେ ନିର୍ମାତା ଖୁବଶୀଘ୍ର ସିନେମାହୋଲରେ ରିଲିଜ କରିବା ନେଇ ପ୍ରତିଶୃତି ଦେଇଥିବା ବେଳେ ଏହି ଫିଲ୍ମରେ ରହିଥିବା 16 ଗୋଟି ସଚେତନତା ବାର୍ତ୍ତା ସମସ୍ତଙ୍କ ହୃଦୟକୁ ନିଶ୍ଚିତ ରୂପେ ଛୁଇଁବ ବୋଲି ଆଶା କରିଛନ୍ତି ।
ଏହା ମଧ୍ୟ ପଢନ୍ତୁ: ଜାଗରଣ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହେବ 'ଦ ସି ଆଣ୍ଡ୍ ସେଭେନ୍ ଭିଲେଜେସ୍'
ଫିଲ୍ମର କାହାଣୀ କହିବାକୁ ଗଲେ, ଗଞ୍ଜାମ ଜିଲ୍ଲାର କୁକୁଡ଼ାଖଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ମହିଳା ସ୍ଵାସ୍ଥ୍ୟ କର୍ମୀ କେ. କ୍ରିଷ୍ଣା କୁମାରୀଙ୍କ ନିଜ ଜୀବନବ୍ୟାପି ଉଦ୍ଯମର କଥାବସ୍ତୁ ଏବଂ ନିସ୍ୱାର୍ଥପର ସେବା କାର୍ଯ୍ୟକୁ ଫିଲ୍ମରେ ଖୁବ ସୁନ୍ଦର ଭାବେ ଦର୍ଶାଯାଇଛି । ଏହି ଚଳଚ୍ଚିତ୍ରରେ ମୁଖ୍ୟ କଳାକାର ଭାବେ ଅଭିନେତା କୁନା ତ୍ରିପାଠୀ, ସୁଶ୍ରୀ ରଥ, ପଲ୍ଲବୀ, ଜୟଲକ୍ଷ୍ମୀ, ଜୀବନ ପଣ୍ଡା, ଅମିତ୍, ରବି ମିଶ୍ର ଓ କୁନାଲ୍ ପଟ୍ଟନାୟକ ପ୍ରମୁଖ ଅଭିନୟ କରିଛନ୍ତି।
ସୂଚନା ଥାଉ କି, କ୍ରିଷ୍ଣା କୁମାରୀଙ୍କ ଜନ୍ମ ପରେ କିପରି ନିଜ ଗ୍ରାମର ବିଦ୍ୟାଳୟରେ ଜଣେ ଛାତ୍ରୀ ଭାବରେ ସାହାସିକତାର ପରିଚୟ ଦେବା ପରେ ଗ୍ରାମର ଜଣେ ଶିକ୍ଷିତ ଯୁବତୀ ଭାବେ ଅଙ୍ଗନୱାଡି କର୍ମୀ, ପରେ ଜଣେ ନିର୍ବାଚିତ ସମିତିସଭ୍ଯା ଏବଂ ଶେଷରେ ଜଣେ ମହିଳା ସ୍ୱାସ୍ଥ୍ୟକର୍ମୀ ଭାବେ ଅନେକ ମହତ କାର୍ଯ୍ୟ କରି ଆସିଛନ୍ତି । ଏଥିପାଇଁ ସେ ୨୦୧୭ ମସିହାରେ ରାଜ୍ୟର ଜଣେ ଶ୍ରେଷ୍ଠ ସେବିକା ଭାବେ କେ. କ୍ରିଷ୍ଣା କୁମାରୀ ରାଷ୍ଟ୍ରପତିଙ୍କଠାରୁ ସମ୍ମାନଜନକ ନାଇଟ ଏଙ୍ଗେଲ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ସେ ଆମ ସମସ୍ତଙ୍କ ପାଇଁ ଏକ ପ୍ରେରଣା । ତେବେ ତାଙ୍କ ଜୀବନ କାହାଣୀ ଏବଂ କାର୍ଯ୍ୟକୁ ନେଇ ଏପରି ଏକ ବାୟୋପିକ୍ ଚଳଚ୍ଚିତ୍ର ପ୍ରସ୍ତୁତ କରାଯାଇଛି । ଏଥିରେ ଅନ୍ଧବିଶ୍ୱାସ ଦୂର କରିବାଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ସଚେତନତାର ବାର୍ତ୍ତା ରହିଥିବାରୁ ସମସ୍ତେ ଦେଖିବା ପାଇଁ ସରକାରଙ୍କୁ ଟ୍ୟାକ୍ସ ମୁକ୍ତ କରିବାକୁ ଅନୁରୋଧ କରାଯାଇଛି ।
ଇଟିଭି ଭାରତ, ବ୍ରହ୍ମପୁର