ବ୍ରହ୍ମପୁର: ଏମକେସିଜି ସ୍ବାସ୍ଥ୍ୟ ବିକାଶ ସମିତି ବୈଠକ ଶେଷ ହୋଇଛି । ଏଥିରେ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା ହୋଇଛି । ଦକ୍ଷିଣ ଓଡ଼ିଶାବାସୀ ନିର୍ଭର କରୁଥିବା ବ୍ରହ୍ମପୁରର ଏମକେସିଜି ମେଡିକାଲର ସ୍ବାସ୍ଥ୍ୟ ବିକାଶ ସମିତି ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି । ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର ଟି.ଆଓଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମେଡିକାଲର ବିଭିନ୍ନ ସମସ୍ୟା ଓ ସୁପରିଚାଳନା ଉପରେ ରହିଥିବା ସମସ୍ୟା ଏବଂ ତାହାର ସମାଧାନ ଉପରେ ଆଲୋଚନା ହୋଇଛି ।
ମୁଖ୍ୟତଃ ଦୀର୍ଘ ବର୍ଷ ଧରି ଏମକେସିଜି ମେଡିକାଲର ନୂତନ ବସଷ୍ଟାଣ୍ଡ ପଟକୁ ରହିଥିବା ଦ୍ବିତୀୟ ଫାଟକକୁ ଖୋଲିବା ପାଇଁ ଦାବି ହୋଇ ଆସୁଥିଲା । ଏହାକୁ ନେଇ ବୈଠକରେ ଆଲୋଚନା ହୋଇଥିବା ବେଳେ ବୈଠକ ଶେଷ ପରେ ଏନେଇ ଗଣମାଧ୍ୟମ ସହିତ ଆଲୋଚନା ସମୟରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଉକ୍ତ ଫାଟକ ଦେଇ କେବଳ ରୋଗୀ ରହିଥିବା ଆମ୍ବୁଲାନ୍ସକୁ ଛାଡିବା ପାଇଁ ନିଷ୍ପତ୍ତି ହୋଇଥିବା କହିଛନ୍ତି । ଏହା ସହିତ ମେଡିକାଲ ନିକଟରେ ଥିବା ସିଦ୍ଧାର୍ଥ ନଗର ଏବଂ ବ୍ୟାଙ୍କ କଲୋନୀ ଅଞ୍ଚଳ ବାସିନ୍ଦାଙ୍କ ପାଇଁ ନୂଆ ରାସ୍ତା ତିଆରି ହୋଇସାରିଥିବା ବେଳେ ଖୁବଶୀଘ୍ର ତାହାର ଉଦଘାଟନ କରାଯିବ ବୋଲି କହିଛନ୍ତି ବିଧାୟକ ବିକ୍ରମ କୁମାର ପଣ୍ଡା ।
ଅନ୍ୟପଟେ ବୈଠକରେ ବହୁ ଗୁରୁତ୍ବପୂର୍ଣ୍ଣ ବିଷୟରେ ଆଲୋଚନା କରାଯାଇଛି । ଏମକେସିଜି ମେଡିକାଲରେ ରହିଥିବା ସମସ୍ୟା ମଧ୍ୟରେ ସୁପରସ୍ପେସାଲିଟି ବ୍ଲକରେ ଲାଗି ରହିଥିବା ସମସ୍ୟା ଓ ତାହାର ସମାଧାନ ଦିଗରେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରାଯାଇଛି । ଡାକ୍ତରଖାନା ପରିମଳ ବ୍ୟବସ୍ଥାରେ ଉନ୍ନତି ଆଣିବା, ବର୍ଷା ଦିନରେ ରହିଥିବା ସମସ୍ୟା ଯୋଗୁଁ ଡାକ୍ତରଖାନା ଦେଇ ଯାଇଥିବା ଡ୍ରେନ୍ ଗୁଡିକ ସଫେଇ ଉପରେ ଆଲୋଚନା, ଅସୁରକ୍ଷିତ ଘୋଷଣା ହୋଇଥିବା ମେଡିକାଲର ପୁରାତନ କୋଠା ଭଙ୍ଗାଯିବା ପାଇଁ ଟେକ୍ନିକାଲ୍ ଟିମ୍ ତାଙ୍କର କାମ ଆରମ୍ଭ କରିଥିବା ନେଇ ଖୁବଶୀଘ୍ର ଏ ଦିଗରେ ନିଷ୍ପତ୍ତି ନିଆଯିବ ବୋଲି ଗଞ୍ଜାମ ଜିଲାପାଳ କହିଛନ୍ତି ।
ବୈଠକରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ଓ ମେୟର ସଂଘମିତ୍ରା ଦଳାଇଙ୍କ ସମେତ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ବି.ଏମ୍.ଏଲ୍.ଟି ସଚ୍ଚିଦାନନ୍ଦ ମହାନ୍ତି, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଶ୍ରବଣ ବିବେକ ଏମ୍, ମହାନଗର ନିଗମର କମିଶନର୍ ଜେ. ସୋନାଲ୍, ମେଡିକାଲ କଲେଜର ଅଧ୍ୟକ୍ଷ ତଥା ଡିନ୍ ପ୍ରଫେସର ଡ଼ା ସନ୍ତୋଷ କୁମାର ମିଶ୍ର, ବ୍ରହ୍ମପୁର ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ସମେତ ଏମ୍.କେ.ସି.ଜି ମେଡିକାଲର ବହୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।
ଇଟିଭି ଭାରତ, ବ୍ରହ୍ମପୁର