ବ୍ରହ୍ମପୁର: ଏଣିକି କୁଶଳୀ ହେବେ କାରାଗାରର ଅନ୍ତେବାସୀ। ପ୍ରସ୍ତୁତ କରିବେ ଫୁଲ ଝାଡୁ ଠାରୁ ଆରମ୍ଭ କରି ଆଳୁ, କନ୍ଦମୂଳ ଓ କଦଳୀ ଭଳି ଅନେକ ଚିପସ୍ ପ୍ରସ୍ତୁତି । ଏହାକୁ ପ୍ରସ୍ତୁତ ପରେ ଗଞ୍ଜାମ ହାଟ ଜରିଆରେ ଅନ୍ତେବାସୀଙ୍କ ପ୍ରସ୍ତୁତ ସାମଗ୍ରୀକୁ କରାଯିବ ବିକ୍ରି । ଦୀର୍ଘ ଦିନ ଧରି କାରାଗାରର ଚାରିକାନ୍ଥ ମଧ୍ୟରେ ରହି ଅନେକ ବନ୍ଦୀ ଜୀବନ ବିତାଉଥିବା ବ୍ୟକ୍ତି ବିଶେଷଙ୍କୁ ଯୋଗାଇ ଦିଆଯାଇଛି ଏଭଳି ରୋଜଗାରର ପନ୍ଥା । କିପରି ସେମାନେ ସ୍ୱାବଲମ୍ୱୀ ହୋଇପାରିବେ ଏବଂ କାରାଗାର ମଧ୍ୟରେ ରହି ଭଲରେ ଦୁଇ ପଇସା ରୋଜଗାର କରିପାରିବେ ସେନେଇ ଆରମ୍ଭ ହୋଇଛି ଉଦ୍ୟମ ।
ସମ୍ପୂର୍ଣ୍ଣ ପ୍ରଶିକ୍ଷଣ ପରେ ବିଚାରଧୀନ ଅନ୍ତେବାସୀ ମାନେ ଝାଡୁ ତିଆରି କରିବା ଠାରୁ ଆରମ୍ଭ କରି ଚିପ୍ସ ପ୍ରସ୍ତୁତ ପ୍ରସ୍ତୁତି ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ କରିବେ । ଯାହାକୁ ନେଇ ବେଶ ଖୁସି କାରାଗାରର ବଚାରାଧୀନ ବ୍ୟକ୍ତିବିଶେଷ । ଅନ୍ୟପଟେ ଏହି ଯୋଜନାର ସଫଳ ରୁପାୟନ ହେଲେ ଆଗାମୀ ଦିନରେ କାରାଗାର ମଧ୍ୟରେ ବିଭିନ୍ନ ପ୍ରକାର ବୈଷୟିକ ତାଲିମ ମଧ୍ୟ ପ୍ରଦାନ କରାଯିବ ବୋଲି କହିଛନ୍ତି ଜେଲ କର୍ତ୍ତୃପକ୍ଷ ।
ଓରମାସ ପକ୍ଷରୁ ଏଥିପାଇଁ ଆବଶ୍ୟକ କଞ୍ଚାମାଲ ଯୋଗାଇ ଦିଆଯାଉଥିବା ବେଳେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ମିଶନ ଶକ୍ତି ଜରିଆରେ ସମସ୍ତ ଉତ୍ପାଦିତ ସାମଗ୍ରୀ ବିକ୍ରି ପାଇଁ ବନ୍ଦୋବସ୍ତ କରାଯିବ । ଛତ୍ରପୁର ଜେଲରେ ଏବେ ୧୭୫ ଅନ୍ତେବାସୀ ରହୁଥିବା ବେଳେ ସେମାନଙ୍କ ମଧ୍ୟରୁ ୪୪ ଜଣ ପୁରୁଷ ଓ ୬ ଜଣ ମହିଳାଙ୍କୁ ତାଲିମ ପ୍ରଦାନ କରାଯିବ। ପୂର୍ବରୁ ଛତ୍ରପୁର ସବ୍ଜେଲର ବନ୍ଦୀ ଚିଟିଙ୍କ ଦ୍ଵାରା ଅଙ୍କିତ ମାଟି ପାତ୍ର ଗୁଡ଼ିକ ମିଶନ ଶକ୍ତି ପକ୍ଷରୁ ପ୍ରସ୍ତୁତ ଗୁଡ଼ ହାଣ୍ଡି ପାଇଁ ବ୍ୟବହୃତ ହୋଇ ଅତ୍ୟନ୍ତ ଲୋକପ୍ରିୟ ହୋଇଥିଲା। ଏବେ ଏହା ଫଳରେ ବନ୍ଦୀ ଜୀବନ ଯାପନ କରୁଥିବା କଏଦୀଙ୍କୁ କିଛି ଉପାର୍ଜନ ମିଳିବା ସହ ମୁକ୍ତ ହେବା ପରେ ସେମାନେ ପରବର୍ତ୍ତୀ କାଳରେ ଏହାକୁ ଜୀବିକାରେ ପରିଣତ କରି ପାରିବେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ