ବ୍ରହ୍ମପୁର: ଜିଲ୍ଲାରେ ଚାଲିଛି ବେଧଡକ ଲୁଟ୍ । ବାରମ୍ବାର ସୁନାଦୋକାନରୁ ଲୁଟ୍ ହେଉଥିବା ଦେଖିବାକୁ ମିଳୁଛି । ଏଥର ମଧ୍ୟ ଦୁର୍ବୃତ୍ତମାନେ ଆଉ ଏକ ସୁନାଦୋକାନରୁ ନଗଦ ଟଙ୍କା ସହ ସୁନା ଲୁଟି ନେଇଛନ୍ତି । ଘଟଣାସ୍ଥଳରେ ବ୍ରହ୍ମପୁର ଏସପି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ସୂଚନା ଅନୁଯାୟୀ ବ୍ରହ୍ମପୁର ଜିଲ୍ଲାରେ ପୁଣି ଏକ ସୁନା ଦୋକାନରେ ଲୁଟ୍ ହୋଇଛି । ପୂର୍ବରୁ ଏକ ସୁନା ଦୋକାନରେ ଯେଉଁଭଳି ଲୁଟ୍ ହୋଇଥିଲା ବର୍ତ୍ତମାନ ମଧ୍ୟ ଠିକ୍ ସେହି ଶୈଳୀରେ ଲୁଟ୍ କରିଛନ୍ତି ଲୁଟେରା । ସହରର ବଡବଜାରରେ ଥିବା କେଶବ ଜୁଏଲାରୀ ଦୋକାନ ଉପରେ ଥିବା ଛୋଟ ଭେଣ୍ଟିଲେସନ ରଡକୁ କାଟି ଦୁର୍ବୃତ୍ତମାନେ ଦୋକାନ ମଧ୍ୟକୁ ପ୍ରବେଶ କରି ଲୁଟ୍ କରିଛନ୍ତି । ଏଥିରେ ଦୋକାନର 3ଟି କ୍ୟାସ୍ କାଉଣ୍ଟରରୁ ଏକ ଲକ୍ଷ 40 ହଜାର ଟଙ୍କା ଲୁଟ୍ ହୋଇଥିବା ଜଣାପଡିଛି ।
ସେହିପରି ଦୁର୍ବୃତ୍ତମାନେ 400 ଗ୍ରାମର ପୁରୁଣା ସୁନା ଲୁଟି ନେଇଛନ୍ତି । ଖବର ପାଇ ପୋଲିସ ସାଇଣ୍ଚିଫିକ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଫୁଟେଜ ଆଧାରରେ ତଦନ୍ତ ଆରମ୍ଭ କରିଛି । ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଏସପି ପିନାକ ମିଶ୍ର କହିଛନ୍ତି । ତେବେ ସହରରେ ବାରମ୍ବାର ସୁନା ଦୋକାନରେ ଲୁଟ୍ ହେଉଥିବାରୁ ସୁନା ବ୍ୟବସାୟୀ ଚିନ୍ତାରେ ପଡିଯାଇଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ