ବ୍ରହ୍ମପୁର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପୂର୍ବରୁ ପୁଣି ରକ୍ତମୁଖା ମାଓବାଦୀ । କଳାହାଣ୍ଡି ଜିଲ୍ଲାର ଜଣେ କାର୍ଯ୍ୟରତ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ଅକାଳ ବିୟୋଗରେ ସାରା ରାଜ୍ୟରେ ଖେଳିଯାଇଛି ଶୋକର ଛାୟା । ଲ୍ୟାଣ୍ଡମାଇନ ବିସ୍ଫୋରଣରେ ରାଜ୍ୟର କଳାହାଣ୍ଡି ଜିଲ୍ଲାର ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କ ମୃତ୍ୟୁ ଘଟଣାରେ ବ୍ରହ୍ମପୁରରେ ପ୍ରେସ କ୍ଳବ୍ ପକ୍ଷରୁ କ୍ୟାଣ୍ଡେଲ ରାଲି ସହ ଶୋକସଭା କରାଯାଇଛି ।
ବ୍ରହ୍ମପୁର ଗାନ୍ଧୀନଗର ଛକ ନିକଟରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଶୋକସଭାର ଆୟୋଜନ ହେବା ସହ କ୍ୟାଣ୍ଡେଲ୍ ରାଲିସହର ପରିକ୍ରମା କରାଯାଇଥିଲା। ଏଥିରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ସମେତ ବ୍ରହ୍ମପୁର ଏସପି ପିନାକ ମିଶ୍ର ଏବଂ ପୋଲିସ ବିଭାଗର ବରିଷ୍ଠ ଅଧିକାରୀ, ବ୍ରହ୍ମପୁର ଏସଡିପିଓ ବିଷ୍ଣୁ ପ୍ରସାଦ ପତି, ଟାଉନଥାନା ଅଧିକାରୀ ସୁରେଶ ତ୍ରିପାଠୀ,ବଡ଼ବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତିଙ୍କ ସମେତ ବହୁ ପୋଲିସ କର୍ମଚାରୀ ସାମିଲ ହୋଇଥିଲେ ।
ସୂଚନା ଅନୁଯାୟୀ, ଚଳିତ ପଞ୍ଚାୟତ ନିର୍ବାଚନ ବର୍ଜନ ସହ ବିଭିନ୍ନ ଦାବି ନେଇ କର୍ଲାଖୁଣ୍ଟା ବ୍ରିଜ୍ ନିକଟରେ ପୋଷ୍ଟର ଲଗାଇଥିଲେ ମାଓବାଦୀ । ଏନେଇ ଖବର ସଂଗ୍ରହ ପାଇଁ ଘଟଣାସ୍ଥଳକୁ ଯାଇଥିଲେ ଦୈନିକ ଖବର କାଗଜର ସ୍ଥାନୀୟ ପ୍ରତିନିଧି ରୋହିତ ବିଶ୍ୱାଳ । ଏହା ସମୟେର ମାଓବାଦୀ ଲଗାଇଥିବା ପୋଷ୍ଟରର ଫଟୋ ଉତ୍ତୋଳନ ସମୟରେ ହଠାତ୍ ଲ୍ୟାଣ୍ଡ ମାଇନ ବିସ୍ଫୋରଣ ଘଟି ଘଟଣାସ୍ଥଳରେ ହିଁ ରୋହିତଙ୍କ ପ୍ରାଣହାନୀ ଘଟିଛି ।
ତେବେ କର୍ଲାଖୁଣ୍ଟା ବ୍ରିଜ୍ ପାଖରେ ଭୋଟ ବର୍ଜନ ସହ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସୀମାନ୍ତ ଅଞ୍ଚଳରେ ଥିବା ପୋଲିସ ସିଆରପିଏଫ କ୍ୟାମ୍ପକୁ ତୁରନ୍ତ ହଟାଇବା ପାଇଁ ଚିଠିରେ ଉଲ୍ଲେଖ କରିଥିଲେ ମାଓବାଦୀ । ଏହି ପୋଷ୍ଟରରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି କେକେବିଏନ ଡିଭିଜନ ବୋଲି ଉଲ୍ଲେଖ ରହିଛି ।ସେପଟେ ସାମ୍ବାଦିକ ରୋହିତ ବିଶ୍ବାଳଙ୍କ ମୃତ୍ୟୁ ଘଟଣାରେ ତାଙ୍କ ପରିବାରକୁ ୧୩ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ