ବ୍ରହ୍ମପୁର: ତତଲା କଡେଇରେ ଭାଜି ହେଉଛି ବ୍ରହ୍ମପୁର ସହର । ଡହ ଡ଼ହ ଖରାରେ ସନ୍ତୁଳି ହେଉଛନ୍ତି ବ୍ରହ୍ମପୁରବାସୀ । ଦିନ ୧୦ଟା ପରେ ଘରୁ ବାହାରିବା ଅସମ୍ଭବ ହୋଇପଡିଛି । ଗ୍ରୀଷ୍ମମାସ ଆରମ୍ଭରୁ ତାପମାତ୍ରା ୪୦ ଡିଗ୍ରୀ ଛୁଇଁଲାଣି । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ପାର କରିଛି । ତେବେ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।
ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ଶିକ୍ଷାନୁଷ୍ଠାନ ଗୁଡିକୁ ଛୁଟି ଘୋଷଣା କରିଛନ୍ତି । ଅତି ଆବଶ୍ୟକ କାର୍ଯ୍ୟ ନଥିଲେ ଖରାକୁ ନବାହାରିବା ପାଇଁ ସହରବାସୀ ଅନୁରୋଧ କରିଛନ୍ତି ବ୍ରହ୍ମପୁର ମହାନଗର ନିଗମର ମେୟର ସଂଘମିତ୍ରା ଦଳେଇ। ମେୟର କହିଛନ୍ତି, ‘‘ଅବଶ୍ୟକୀୟ କାର୍ଯ୍ୟ ନଥିଲେ ଖରାରେ ବାହରନ୍ତୁ ନାହିଁ । ଖରାରେ ବାହିରିବା ପୂର୍ବରୁ ସାଥିରେ ଓଦା ଟୋବାଲ, ପାଣି ବୋତଲ, ଛତା ନେଇ ଯିବାକୁ ପରାମର୍ଶ ଦିଆଯାଇଛି । ସେହିପରି ବର୍ତ୍ତମାନର ସମୟରେ ଦଣ୍ଡନାଚ ଓ ଠାକୁରାଣୀ ଯାତ୍ରା ଚାଲିଥିବାରୁ ଏହାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଜଳଛତ୍ର ଠାରୁ ଆରମ୍ଭ କରି ଅନ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି ।’’
ବ୍ରହ୍ମପୁର ମହାନଗର ନିମଗର କମିଶନର ଜେ.ସୋନାଲ କହିଛନ୍ତି, ‘‘ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ସ୍ତରରେ ବୈଠକ କରାଯାଉଛି । ଗ୍ରୀଷ୍ମ ପ୍ରବାହର ମୁକାବିଲା କରାଯିବ ସେ ନେଇ ପଦକ୍ଷେପ ଗ୍ରହଣ କରାଯାଇଥିବା ବେଲେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ନିର୍ଦ୍ଧିଷ୍ଟ ବିଷୟକୁ ଗୁରୁତ୍ୱ ଦିଆଯାଇଛି । ସହରର ପ୍ରମୁଖ ଜନଗହଳି ସ୍ଥାନରେ ୱାର୍ଟର ଏଟିଏମ୍ ସଂଯୋଗ କରାଯିବା ପାଇଁ ଯୋଜନା କରାଯାଇଛି । ଅଂଶୁଘାତର ଶିକାର ହେବାକୁ ଥିବା ବ୍ୟକ୍ତିବିଶେଷଙ୍କ ପାଇଁ ସମସ୍ତ ସହରାଞ୍ଚଳ ସ୍ୱାସ୍ଥକେନ୍ଦ୍ରରେ ଏ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ନଗର ଚିକିତ୍ସାଳୟରେ ଯେପରି ଏହାକୁ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ସେ ନେଇ ବିଇଏମ୍ସି ରେ ମଧ୍ୟ ଏକ କଣ୍ଟ୍ରୋଲ ରୁମ୍ ଖୋଲାଯିବା ।’’
ସୂଚନା ଅନୁଯାୟୀ ଗତ ଦୁଇ ଦିନ ମଧ୍ୟରେ ରାଜ୍ୟବ୍ୟାପି ହଠାତ୍ ପ୍ରଚଣ୍ଡ ରୋଦ୍ରତାପ ଯୋଗୁଁ ଜନଜୀବନ ଏକପ୍ରକାର ଅସ୍ତବ୍ୟସ୍ତ ହୋଇପଡିଛନ୍ତି । ଗୋପାଳପୁରର ତାପମାତ୍ରା ସର୍ବକାଳୀନ ରେକର୍ଡ ଭାଙ୍ଗିଛୁ । ଗତକାଲି ଗୋପାଳପୁର ତାପମାତ୍ର ରେକର୍ଡ ଭାଙ୍ଗି ୩୯.୧ ଡିଗ୍ରୀରେ ପହଞ୍ଚିଥିଲା । ମୁଖ୍ୟତଃ ଗୋପାଳପୁରରେ ଗ୍ରୀଷ୍ମକାଳରେ ୩୨ ଡିଗ୍ରୀରୁ ୩୪ ଡିଗ୍ରୀ ତାପମାତ୍ରା ରହିଥାଏ ।
ଇଟିଭି ଭାରତ, ବ୍ରହ୍ମପୁର