ବ୍ରହ୍ମପୁର: ବାରହା ଶିକାର ପାଇଁ ଖଞ୍ଜା ଯାଇଥିବା ବୋମା ଖାଇ ଗାଈ ଗୁରୁତର । ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ଅନ୍ତର୍ଗତ କେନ୍ଦୁପାଟ ଗ୍ରାମରେ ଘଟିଛି ଏଭଳି ଅଘଟଣ । ବାରହା ଶିକାର କରିବା ପାଇଁ ବିଲ ମଧ୍ୟରେ ରଖାଯାଇଥିବା ବୋମା ଗାଈ ଖାଇ ଦେବାରୁ ଗାଇ ପାଟିରେ ବୋମା ବିସ୍ଫୋରଣ ଘଟିଥିଲା ।
ସୂଚନାନୁସାରେ, କେନ୍ଦୁପାଟ ଗ୍ରାମର କିଛି ଦୁର୍ବୃତ୍ତ ନିୟମିତ ଭାବେ ବାରହା ଶିକାର କରନ୍ତି । ଏଥିପାଇଁ ସେମାନେ ବିଲ ମଧ୍ୟରେ ବୋମା ରଖନ୍ତି ଏବଂ ବାରହା ଖାଇବା ପରେ ତାର ମୃତ୍ୟୁ ହୁଏ । ତେବେ ଗାଈଗୋରୁ ମଧ୍ୟ ବିଲରେ ଚରୁଥିବା ବେଳେ ଏହି ବୋମାକୁ ଖାଇ ଗୁରୁତର ହୋଇଥିବା ନଜିର ରହିଛି । ସୋମବାର ସନ୍ଧ୍ୟା ସମୟରେ ଗ୍ରାମର ସୁଦୁରୁ ରାଉତଙ୍କ ଗାଈ ଚରିବାକୁ ଯାଇ ଘରକୁ ଫେରି ନଥିଲା । ବହୁ ଖୋଜାଖୋଜି ପରେ ଗାଁ ନିକଟସ୍ଥ ଜଗା ଘାଇ ସ୍ଥିତ ଏକ ବିଲରେ ଗୁରୁତର ଅବସ୍ଥାରେ ପଡିଥିବା ଦେଖିବାକୁ ପାଇଥିଲେ । ବୋମା ଖାଇଦେବାରୁ ପାଟିରେ ବିସ୍ଫୋରଣ ଘଟି ମୁହଁର ତଳ ଭାଗ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇ ଯାଇଛି ।
ଗାଈଟି 15 ଦିନ ତଳେ ଏକ ମାଈ ବାଛୁରୀକୁ ଜନ୍ମ ଦେଇଥିବା ଜଣାପଡିଛି । ଏନେଇ ସୁଦୁରୁ ଗ୍ରାମର ଜଣେ ବ୍ୟକ୍ତିଙ୍କ ବିରୋଧରେ ଖଲ୍ଲିକୋଟ ଥାନାରେ ଅଭିଯୋଗ କରିଛନ୍ତି । ଏତଲା ପାଇ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନଙ୍କ ନେତୃତ୍ବରେ ପୋଲିସ ଟିମ୍ କେନ୍ଦୁପାଟ ଗ୍ରାମକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତ ପରେ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ