ଭଞ୍ଜନଗର: ଗତକିଛି ଦିନତଳେ ଲୁଟର ଶିକାର ହୋଇଥିବା ଜଣେ ଛେଳି ବେପାରୀ ତାଙ୍କ 12 ଲକ୍ଷ 60 ହଜାର ଟଙ୍କା ମଙ୍ଗଳବାର ଫେରିପାଇଛନ୍ତି । ସୂଚନାନୁସାରେ ଗତ 27 ତାରିଖ ମଧ୍ୟ ରାତ୍ରରେ ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ବନ୍ଧାଗୁଡା ବୁଲାଣି ରାସ୍ତାରେ ଛେଳି ବେପାରୀମାନେ ଲୁଟର ଶିକାର ହୋଇଥିଲେ । ଦୁର୍ବୃତ୍ତମାନେ ବନ୍ଧୁକ ଓ ଖଣ୍ଡା ଦେଖାଇ 12 ଲକ୍ଷ 80 ହଜାର ଟଙ୍କା ଲୁଟି ନେଇଥିଲେ ।
ତା ପରଦିନ ବେପାରୀମାନେ ଧରାକୋଟ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ତତ୍କ୍ଷଣାତ ଏକ ଟିମ ଗଠନ କରି ଚଢ଼ାଉ ଆରମ୍ଭ କରିଥିଲେ । ଆଉ କମ ସମୟରେ ସମସ୍ତ ଅଭିଯୁକ୍ତମାନଙ୍କୁ କାବୁ କରି 12 ଲକ୍ଷ 60 ହଜାର ଟଙ୍କା ଆଦାୟ କରିଥିଲା । ସମସ୍ତ 11 ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଜେଲକୁ ପଠାଇ ଦିଆଯାଇ ଥିବା ବେଳେ ଆଜି ଧରାକୋଟ ଥାନା ଅଧିକାରୀ ଛେଳି ବେପାରୀଙ୍କ ସମସ୍ତ ଟଙ୍କା ଫେରାଇ ଦେଇଛନ୍ତି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ