ଭଞ୍ଜନଗର: ଜିଲ୍ଲା ପୋଲିସରା ବ୍ଲକ ହିରାପଲ୍ଲୀ ଗାଁରେ ଅମାନୁଷିକ କାଣ୍ଡ । ଜମିଜମାକୁ କେନ୍ଦ୍ରକରି ହତ୍ୟା ଅଭିଯୋଗ । ମୃତକ ଉକ୍ତ ଗ୍ରାମର ପ୍ରଭାକର ଗୌଡ । ଗ୍ରାମ ବିଦ୍ୟାଳୟ ଜମିକୁ କେନ୍ଦ୍ରକରି ପ୍ରଭାକରଙ୍କୁ ଗ୍ରାମବାସୀ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାରେ ପୋଲିସ 10 ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।
ସୂଚନା ମୁତାବକ, ଗାଁ ସ୍କୁଲ ଜମିକୁ କେନ୍ଦ୍ରକରି ଗ୍ରାମବାସୀ ଓ ପ୍ରଭାକର ଗୌଡଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ତିକ୍ତତା ଲାଗି ରହିଥିଲା । ବୁଧବାର ଗ୍ରାମବାସୀ ଏହି ଜମି ଉପରେ ସମ୍ପ୍ରସାରଣ କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରଭାକର ଏହାକୁ ବିରୋଧ କରି ଗ୍ରାମବାସୀଙ୍କ ସହ ଝଗଡା କରିବା ସହ ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ । ମାତ୍ର ଫେରିବା ବାଟରେ ଉତ୍ୟକ୍ତ ଲୋକେ ତାଙ୍କୁ ଆକ୍ରମଣ କରିଥିବା ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ତେବେ ଗୁରୁତର ଅବସ୍ଥାରେ ପ୍ରଭାକରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି ।
ଅନ୍ୟପଟେ ସେହି ଜମି ଗ୍ରାମର ହୋଇଥିବାବେଳେ ପ୍ରଭାକର ଜୋର ଜବରଦସ୍ତ ସମ୍ପ୍ରସାରଣ କାର୍ଯ୍ୟକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଏହାସହ ମଦ୍ୟପାନ କରି ଗାଁଲୋକଙ୍କୁ ଧମକ ଚମକ ଦେଉଥିଲେ ଏବଂ ମଦ୍ୟପାନ ଯୋଗୁଁ ତାଙ୍କର ଗୋଡ ଖସି ମୃତ୍ୟୁ ଘଟିଥିବା ଗ୍ରାମବାସୀ କହିଛନ୍ତି । ପୋଲିସ ଗାଁରେ ଚଢାଉ କରି 10 ଜଣଙ୍କୁ ଅଟକ ରଖି ତଦନ୍ତ କରୁଛି ।
ଭଞ୍ଜନଗରରୁ ରଞ୍ଜନ ସ୍ବାଇଁ, ଇଟିଭି ଭାରତ