ଭଞ୍ଜନଗର: ଗଞ୍ଜାମ ଜିଲ୍ଲାର ପ୍ରେମରେ ପ୍ରତାରଣା ଓ ପ୍ରେମିକ ଘର ଆଗରେ ପ୍ରେମିକାର ଧାରଣା ଦେବା ଘଟଣା ଆପଣ ଅନେକ ଶୁଣିଥିବେ । ହେଲେ ଏମିତି ଏକ ଖବର ଏବେ ନଜରକୁ ଆସିଛି ଯାହାକି ଆପଣଙ୍କୁ ଚକିତ କରିବ । ପ୍ରେମିକାର ଜିଦ ଆଗରେ ହାର ମାନିଛି ପ୍ରେମିକା । ଧାରଣାସ୍ଥଳରେ ପ୍ରେମିକା ମଥାରେ ସିନ୍ଦୁର ଦେଇ ସାତ ଜନ୍ମର ସାଥୀ କରିଛି ପ୍ରେମିକ । ଆଉ ଉଭୟଙ୍କ ବିବାହର ସାକ୍ଷୀ ହୋଇଛି ଗାଁ ରାସ୍ତା । ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ନିକଟ ଗାଲେରି ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।
ସାହି ରାସ୍ତା ସାଜିଥିଲା ବିବାହ ମଣ୍ଡପ । ବର କନ୍ୟା ମୁଣ୍ଡରେ ମୁକୁୁଟ ପିନ୍ଧି ବେକରେ ଫୁଲମାଳ ପକାଉଛନ୍ତି ଏବଂ ଚାରିଆଡେ ଜନସମୁଦ୍ର ।ବିବାହ ପରି ପବିତ୍ର ତଥା ମଧୁର ସମ୍ପର୍କର ସାକ୍ଷୀ ସାଜିଲେ ଗାଁ ଲୋକ ଓ ସମାଜସେବୀ ।
ଖବରଅନୁସାରେ, ବ୍ରହ୍ମପୁର ଗୋଷାଣୀ ନୂଆଁ ଗାଁ ନେହୁରୁ ନଗର ଟିନା ସାହୁ ଗାଲେରି ଗ୍ରାମର ପୁଅ ଦୁଷ୍ମନ୍ତ ସାହୁ ସହିତ ଗୋଟିଏ ବିବାହରେ ଦେଖା ହେଲା ପରେ ପ୍ରେମ ହୋଇଗଲା । ଗତ ତିନିବର୍ଷ ହେଲା ସେମାନଙ୍କ ମଧ୍ୟରେ ଚାଲିଥିଲା ଚୋରା ପୀରତି । ହେଲେ ପୁଅ ଯେତେବେଳେ ପରିବାର କଥାରେ ପଡି ଝିଅକୁ ବିବାହ କରିବାକୁ ମନା କରିଦେଲା ତା ପରଠୁ ଟିନା ବାରମ୍ବାର ଆତ୍ମହତ୍ୟା ଉଦ୍ୟମ କରୁଥିଲା । ୩ ବର୍ଷର ଭଲପାଇବାକୁ ଛାଡି ବଞ୍ଚିବା ସମ୍ଭବପର ନଥିଲା । ଝିଅ ନିଜର ହକ ଦାବି ନେଇ ଗତ ପାଞ୍ଚ ଦିନ ହେଲା ପ୍ରେମିକ ଘର ଆଗରେ ଧାରଣାରେ ବସିଥିଲା । ହେଲେ ଏହା ଦେଖି ପୁଅ ଘର ତାଲା ପକାଇ କୁଆଡେ ଚମ୍ପଟ ମାରିଥିଲେ ।
ହେଲେ ସମାଜସେବୀ ପ୍ରମିଳା ତ୍ରିପାଠୀ ମଧ୍ୟ ଝିଅର ପକ୍ଷ ନେଇ ଦାବିକୁ ଜୋରଦାର କରିଥିଲେ । ଶେଷରେ ବାଧ୍ୟ ହୋଇ ପୁଅ ଘର ପରିବାର ନିଜ ଘର ସମ୍ମୁଖରେ ପହଞ୍ଚିଥିଲେ । ଶେଷରେ ବୁଝାମଣା ହୋଇଥଲା ସାହିବାସିନ୍ଦା ଓ ସମାଜସେବୀଙ୍କ ନିଷ୍ପତ୍ତି କ୍ରମେ ପ୍ରେମିକା ଓ ପ୍ରେମିକ ମଧ୍ୟରେ ବିବାହ କାର୍ଯ୍ୟ ସମ୍ପର୍ଣ୍ଣ ହୋଇଥିଲା । ଝିଅକୁ ନାଲିଶାଢ଼ୀ ପିନ୍ଧାଇ ପ୍ରମିଳା ନିଜ ଝିଅ ଭଳି ସଜାଇ ଥିଲେ ଏବଂ ମଥାରେ ମୁକୁଟ ପିନ୍ଧାଇ ହାତରେ ମୁଦି ପିନ୍ଧାଇ ମଥାରେ ସିନ୍ଦୁର ଦେଇଥିଲେ । ସାହିବାସିନ୍ଦାଙ୍କ ଉପସ୍ଥିତିରେ ଗାଁ ଦାଣ୍ଡରେ ବିବାହ କାର୍ଯ୍ୟ ସମ୍ପନ୍ନ ହେଲା । ଉଭୟେ ଉଭୟଙ୍କୁ ମିଠା ଖୁଆଇବା ସହ ସମସ୍ତ ବୟସ୍କଙ୍କୁ ମୁଣ୍ଡିଆ ମାରି ଆଶ୍ରୀବାଦ ଭିକ୍ଷା କରିଥିଲେ । ଏଭଳି ଏକ ନିଆରା ବାହାଘର ଦେଖିବାକୁ ଗ୍ରାମବାସୀଙ୍କ ମଧ୍ୟରେ ଖୁବ ଉତ୍କଣ୍ଠା ଦେଖିବାକୁ ମିଳିଥିଲା । ଏହା ସମାଜର ପ୍ରେମିକା ପ୍ରେମିକମାନଙ୍କ ପାଇଁ ଉଦାହରଣ । ଯୁବପିଢ଼ିମାନଙ୍କ ପାଇଁ ଏହା ଏକ ଶିକ୍ଷା ଏବଂ ଏଭଳି ଭୁଲ କେବେ କରନ୍ତୁ ନାହିଁ ବୋଲି କହିଛନ୍ତି ଗ୍ରାମବାସୀ ।
ଇଟିଭି ଭାରତ, ଭଞ୍ଜନଗର