ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଖାରୀଗୁଡା ଗ୍ରାମରେ ଗତ 20 ତାରିଖରେ ଯୌତୁକ ପାଇଁ ନବବଧୂକୁ ହତ୍ୟା କରାଯାଇଥିଲା । ପରେ ପ୍ରମାଣ ନଷ୍ଟ ପାଇଁ ଶ୍ମଶାନରେ ମୃତଦେହ ଦାହ କରୁଥିବା ସମୟରେ ପୋଲିସ ପହଞ୍ଚି ଦରପୋଡ଼ା ମୃତଦେହକୁ ଉଦ୍ଧାର କରିଥିଲେ ।
ଉକ୍ତ ଘଟଣାରେ ଆଜି ଛଅ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ସେମାନଙ୍କ ଠାରୁ ହତ୍ୟାରେ ବ୍ୟବହୃତ ଏକ ହାତୁଡି ସହ ଦା’କୁ ମଧ୍ୟ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଖାରୀଗୁଡା ଗ୍ରାମର ସ୍ୱାମୀ ପିଣ୍ଟୁ ଗୌଡ଼, ଶାଶୁ କୁସୁମଲତା ଗୌଡ଼, ଶଶୁର ଶତ୍ରୁଘନ ଗୌଡ଼, ଦେଢଶୁର ଦୀନବନ୍ଧୁ ଗୌଡ଼, ମାମୁଁ ଶଶୁର ସୁଶାନ୍ତ ଗୌଡ଼ ଓ ସମ୍ପର୍କୀୟ ସୁକୁରୁ ଗୌଡ଼ ।
ମକରାପଲ୍ଲୀ ଗ୍ରାମର ସତ୍ୟ ନାରାୟଣଙ୍କ ବଡ ଝିଅ ଶିବାନି ଗୌଡ଼ ଏକ ବର୍ଷ ପୂର୍ବରୁ ଖାରିଗୁଡ଼ା ଗ୍ରାମର ପିଣ୍ଟୁ ଗୌଡ଼ଙ୍କୁ ବିବାହ କରିଥିଲେ । ପିଣ୍ଟୁ ଘର ଲୋକେ ଅଧିକ ଯୌତୁକ ପାଇଁ ବାପ ଘରୁ ଆଣିବା ପାଇଁ ଦାବି କରି ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦେଇ ଆସୁଥିଲେ । ଗତ 19 ତାରିଖ ବିଳମ୍ବିତ ରାତିରେ ଶିବାନିର ଶାଶୁଘର ଲୋକେ ସମସ୍ତେ ମିଶି ମାରଣାସ୍ତ୍ର ସାହାଯ୍ୟରେ ହତ୍ୟା କରିବା ପରେ ବାରିପଟ କୂଅରେ ପକାଇ ଦେଇଥିଲେ।
ପ୍ରମାଣ ନଷ୍ଟ କରିବା ପାଇଁ ଶାଶୂଘର ଲୋକେ ଭୋର ସମୟରୁ କୂଅରୁ ବାହାର କରି ଶ୍ମଶାନକୁ ନେଇ ମୃତଦେହ ପୋଡୁଥିବା ସମୟରେ ଶିବାନିର ବାପା ଘଟଣା ସ୍ଥଳରେ ପହଞ୍ଚି ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ଦରପୋଡ଼ା ମୃତଦେହକୁ ଉଦ୍ଧାର କରି ସାଇଣ୍ଟିଫିକ ଟିମ ଦ୍ୱାରା ତଦନ୍ତ କରି ଶାଶୁଘର ଲୋକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଭଞ୍ଜନଗରରୁ ରଞ୍ଜନ ସ୍ୱାଇଁ, ଇଟିଭି ଭାରତ