ବ୍ରହ୍ମପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା । ବ୍ରହ୍ମପୁର ସହରର ବଡବଜାର ଥାନା ଅନ୍ତର୍ଗତ ଉତ୍ତରାମୁଖୀ ବସ୍ତିରେ ଘଟିଯାଇଛି ଏଭଳି ଏକ ହତ୍ୟାକାଣ୍ଡ ।
ପୂର୍ବରୁ କୌଣସି କାରଣରୁ ଶିବରାମ ସେଠୀ ନାମକ ଯୁବକ ସହିତ ଚନ୍ଦନ ପ୍ରଧାନ ନାମକ ଅନ୍ୟ ଏକ ଯୁବକର ପୂର୍ବ ଶତ୍ରୁତା ରହିଥିଲା । ଗତକାଲି ରାତ୍ର ସମୟରେ ଚନ୍ଦନ ପ୍ରଧାନ ଏକ ମୋଟର ସାଇକେଲରେ ସାଥୀ ତୋଫାନ ଓ ମୁନା ସହ ଫେରୁଥିବାବେଳେ ଉତ୍ତରାମୁଖୀ ସାହି ନିକଟରେ ରହିଥିବା ଟ୍ରାନ୍ସଫର୍ ନିକଟରେ ଶିବରାମ ସେଠୀ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ଆକ୍ରମଣ କରିଥିଲେ । ଯାହାଫଳରେ ଚନ୍ଦନ ପ୍ରଧାନଙ୍କ ବାମ ପଟ ବେକରେ ଗଭୀର ଆଘାତ ଲାଗିଥିବା ବେଳେ ଏହି ଆକ୍ରମଣରେ ତୋଫାନ ଓ ମୁନା ମଧ୍ୟ ଆହାତ ହୋଇଥିଲେ । ପରେ ଦୁଇ ସାଥୀ ଚନ୍ଦନକୁ ନେଇ ଏମ୍.କେ.ସି.ଜି ମେଡିକାଲରେ ପହଞ୍ଚିଥିଲେ । ହେଲେ ଚନ୍ଦନକୁ ମେଡିକାଲରେ ପହଞ୍ଚିବା ପରେ ହିଁ ମୃତ୍ୟୁ ଘୋଷଣା କରାଯାଇଥିଲା ।
ସେପଟେ ଆହତ ତୋଫାନ ଓ ମୁନାଙ୍କୁ ଏମ୍.କେ.ସି.ଜି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ସେପଟେ ବ୍ରହ୍ମପୁର ବଡବଜାର ଥାନାଅଧିକାରୀଙ୍କ ସମେତ ବ୍ରହ୍ମପୁର ଏସ୍.ଡି.ପି.ଓ ଓ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।
ସେପଟେ ପୋଲିସ ଏହି ଘଟଣାରେ ଜଣେ ଯୁବକଙ୍କୁ ଅଟକ ରଖିଥିବାବେଳେ ଆହତ ଦୁଇ ଯୁବକଙ୍କ ବୟାନକୁ ଆଧାର କରି ପୋଲିସ ଏହି ଘଟଣାରେ ଅନ୍ୟ ଅଭିଯୁକ୍ତଙ୍କୁ କାବୁ କରିବା ନିମନ୍ତେ ସହାୟକ ହେବ ବୋଲି କୁହାଯାଇଛି ।
ଏନେଇ ବ୍ରହ୍ମପୁର ବଡବଜାର ଥାନାରେ ମକଦ୍ଦମା ନଂ- ୧୨୨/୨୧ ହତ୍ୟା ମାମଲା ରୁଜୁ କରାଯିବା ସହିତ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଜାରି ରହିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ