ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କୋରୋନାର ଭୟାବହତା ଦିନକୁ ଦିନ ବଢିବାରେ ଲାଗିଛି । ଏମିତିରେ ରବିବାର କୋରୋନା କବଳରେ ଆଖି ବୁଜିଛନ୍ତି ଜିଲ୍ଲାର 3 କୋରୋନା ଯୋଦ୍ଧା । ଏମାନଙ୍କ ମଧ୍ୟରେ ରହିଛନ୍ତି ସାନଖେମୁଣ୍ଡି ବ୍ଲକ ସମନ୍ବିତ ଶିଶୁ ବିକାଶ ଯୋଜନାରେ କାର୍ଯ୍ୟରତ ଅଙ୍ଗନବାଡି ସୁପରଭାଇଜର କେ.ଅଶାନ୍ତ ପାତ୍ର, ଜିଲ୍ଲାର ଆସ୍କା ବ୍ଲକ ସିଙ୍ଗିପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଗୌରହରି ବେହେରା ଓ ଆସ୍କା ପୋଲିସ ଥାନାର କନେଷ୍ଟବଳ ଗୋଲକ ନାୟକ ।
ଜିଲ୍ଲାରେ କୋରୋନା ସ୍ଥିତିକୁ ନଜରରେ ରଖି ଏହି ଯୋଦ୍ଧାମାନେ ଦୀର୍ଘ ଦିନ ଧରି ନିଜ ସେବା ଜାରି ରଖିଥିଲେ । ଆଗଧାଡିର ଏହି କର୍ମଚାରୀମାନେ ଅକ୍ଲାନ୍ତ ପରିଶ୍ରମ ବଳରେ ନିଜ ମାନବିକତାର ପରିଚୟ ଦେଇଥିବା ବେଳେ ଏମାନଙ୍କ ବିୟୋଗରେ ପ୍ରଶାସନ ଗଭୀର ଶୋକ ପ୍ରକାଶ କରିଛି । ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ମଧ୍ୟ ଶୋକ ପ୍ରକାଶ କରିବା ସହ ଟ୍ବିଟ ମାଧ୍ୟମରେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଥିଲେ । ଏପରି ସ୍ଥିତିରେ ମୃତକଙ୍କ ପରିବାର ସହ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ଜିଲ୍ଲାପାଳ ମହଜୁଦ ରହିଥିବା ସେ ଟ୍ବିଟରେ ପ୍ରକାଶ କରିଥିଲେ ।
ତେବେ ଜିଲ୍ଲାରେ ଏହିପରି କୋଭିଡ ଯୋଦ୍ଧାଙ୍କୁ ସହଯୋଗ କରିବା ପାଇଁ ନୀତି ନିୟମର କଡା ଅନୁପାଳନ ସହ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଜିଲ୍ଲାବାସୀଙ୍କୁ ଜିଲ୍ଲାପାଳ ଅନୁରୋଧ କରିଥିଲେ । ସୂଚନା ମୁତାବକ ଏହା ପୂର୍ବରୁ ଗଞ୍ଜାମ ଜିଲ୍ଲାରେ ଜୁଇ ଜଣ ଶିକ୍ଷକଙ୍କ ସମେତ ଜଣେ ଅଙ୍ଗନବାଡି କର୍ମୀ ଓ ଜଣେ କନିଷ୍ଠ ଯନ୍ତ୍ରୀ କୋଭିଡ ଯୋଦ୍ଧା ଭାବେ କାର୍ଯ୍ୟ କରୁଥିବା ବେଳେ କୋରୋନା କବଳରେ ଆଖି ବୁଜି ସାରିଛନ୍ତି । ତେବେ ରବିବାର 3 ଜଣଙ୍କ ମୃତ୍ୟୁ ସହ ଜିଲ୍ଲାରେ କୋଭିଡ ଯୋଦ୍ଧାଙ୍କ ମୃତ୍ୟୁ ସଂଖ୍ୟା 7ରେ ପହଞ୍ଚିଥିବା ଜଣା ପଡିଛି ।
ସେପଟେ ଶନିବାର ରାତିରେ ରାଜ୍ୟର ପ୍ରଥମ ଗଣମାଧ୍ୟମ ପ୍ରତିନିଧି ଭାବରେ ହିଞ୍ଜିଳିକାଟୁରେ କାର୍ଯ୍ୟରତ ସାମ୍ବାଦିକଙ୍କର ଭୁବନେଶ୍ବରରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣା ପଡିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ