ଗଜପତି: ଜିଲ୍ଲାର ରାୟଗଡ଼ ବ୍ଲକ ଲକ୍ଷ୍ମୀପୁର ପଞ୍ଚାୟତ ତୁବୁରୁଡା ଗାଁଟି ପାହାଡ ଉପରେ ରହିଥିବା ବେଳେ ସମସ୍ତ ଅଧିବାସୀ ଆଦିବାସୀ ସମ୍ପ୍ରଦାୟର । ହେଲେ ଏହି ଗାଁକୁ ପ୍ରବେଶ କରିବା ପରେ ଏଠାକାର ପରିବେଶ କୌଣସି ସହର ଠାରୁ ବି କମ୍ ନୁହେଁ । ସବୁଠାରୁ ବଡ କଥା ହେଉଛି ଗାଁର ଏହି ବିକାଶରେ ସରକାରଙ୍କ ଗୋଟିଏ ଟଙ୍କା ବି ଖର୍ଚ୍ଚ ହୋଇନାହିଁ । ହିମାଚଳପ୍ରଦେଶର ଯୁବ ଇଞ୍ଜିନିୟର ସଚିନଙ୍କ ମାର୍ଗଦର୍ଶନ ଓ ସ୍ଥାନୀୟ ଗ୍ରାମବିକାଶ ସହାୟତା ଏବଂ ଗାଁ ଲୋକଙ୍କ ଶ୍ରମଦାନ ଏହି ଗାଁର ଚିତ୍ର ବଦଳିପାରିଛି । ଫଳରେ ହସି ଉଠିଛି ଏହି ଗାଁ ।
ସାଧାରଣତଃ ଗାଁ ବୋଲି କହିଲେ ଲୋକଙ୍କ ମନରେ ଆପେ ଆପେ ଏକ ଚିତ୍ର ଆଙ୍କି ହୋଇଯାଏ । ହେଲେ ଗଜପତି ଜିଲ୍ଲାରେ ଏମିତି ଏକ ଗାଁ ରହିଛି ଯେଉଠି ଗାଁକୁ ନେଇ ଲୋକଙ୍କ ମନରେ ଉପୁଜୁଥିବା ଧାରଣକୁ ସଂପୂର୍ଣ୍ଣ ଭୂଲ ପ୍ରାଣିତ କରିବ । ବଣ ପାହାଡ ଘେରା ଏହି ଗାଁ ଦିନେ ଏମିତି ଅବସ୍ଥାରେ ରହିଥିଲା ଯେ, କେହି ନୂଆ ଲୋକ ଏହି ଗାଁକୁ ଯିବା ତ ଦୂରର କଥା ଏହି ଗାଁରେ ଜନ୍ମ ହୋଇଥିବା ଲୋକେ ମଧ୍ୟ ରହିବାକୁ ପସନ୍ଦ କରିବା କଷ୍ଟକର ଥିଲା । ହେଲେ ଏବେ ଏହି ଗାଁର ଚିତ୍ର ଏଭଳି ବଦଳିଛି । ଯାହାକୁ ନିଜ ଆଖିରେ ନଦେଖିଲେ ବିଶ୍ବାସ କରିବା କଷ୍ଟକର । ଏହି ଗାଁରେ ପିଲାଙ୍କ ମନୋରଞ୍ଜନ ପାଇଁ ପାର୍କ ଠାରୁ ଆରମ୍ଭ କରି ଗାଁର ବୈଠକ କିମ୍ବା ଅନ୍ୟ କୌଣସି କାମ ପାଇଁ କମ୍ୟୁନିଟି ସେଣ୍ଟର ରହିଛି । ଗାଁରେ ଥିବା ଏକ ପରିତ୍ୟକ୍ତ ସ୍କୁଲକୁ କମ୍ୟୁନିଟି ସେଣ୍ଟର ଭାବେ ନିର୍ମ।ଣ କରାଯାଇଥିବା ବେଳେ ଏଠାରେ ପିଲାଙ୍କ ଜ୍ଞାନବୃଦ୍ଧି ପାଇଁ ବିଭିନ୍ନ ପାଠ୍ୟପୁସ୍ତକ ମଧ୍ୟ ରଖାଯାଇଛି ।
ଏହା ବି ପଢନ୍ତୁ- ପ୍ଲାଷ୍ଟିକ୍ ବର୍ଜନ କରିବା, ସ୍ବଚ୍ଛ ଓ ସମୃଦ୍ଧ ଓଡ଼ିଶା ଗଠନ କରିବା
ଏପରିକି ଏଠାରେ ଏକ ପ୍ରୋଜେକ୍ଟର ମଧ୍ୟ ଲଗାଯାଇଛି । ଯାହା ସାହାଯ୍ୟରେ ପିଲାମାନେ ଦେଶ ବିଦେଶରେ ଘଟୁଥିବା ବିଭିନ୍ନ ଘଟଣାବଳୀକୁ ଦେଖି ଜ୍ଞାନ ଅର୍ଜନ କରିପାରୁଛନ୍ତି । କେବଳ ସେତିକି ନୁହେଁ, ଏହି ଗାଁର ପରିବଶକୁ ସ୍ବଚ୍ଛ ରଖିବା ପାଇଁ ମଧ୍ୟ ଗାଁ ଲୋକେ ପଦକ୍ଷେପ ଗ୍ରହଣ କରିଛନ୍ତି । ଗାଁର ଅଳିଆ ଅବର୍ଜନାକୁ ଗୋଟିଏ ସ୍ଥାନରେ ପକାଇବା ପାଇଁ ନିର୍ମ।ଣ କରାଯାଇଛି ଡଷ୍ଟବିନ୍ । ଗାଁର ଏକ ପରିତ୍ୟକ୍ତ କାନ୍ଥକୁ ସୁନ୍ଦର କରାଯାଇ ସେଲ୍ଫି ପଏଣ୍ଟ ମଧ୍ୟ କରାଯାଇଛି । ଏହି ଗାଁର ପରିବେଶକୁ ଦେଖିଲେ ହଠାତ୍ ଜଣେ ଏହା ସହର କି ଗାଁ ଦ୍ବନ୍ଦ୍ବରେ ପଡିବା ସ୍ବାଭାବିକ । ଗାଁରେ ଭଲିବଲ୍ ଖେଳିବା ପାଇଁ ପଡିଆ ମଧ୍ୟ ନିର୍ମ।ଣ କରାଯାଇଛି ।
ଏହି ସମସ୍ତ କାମକୁ ଗାଁ ଲୋକେ ନିଜେ ଶ୍ରମଦାନ କରି ପ୍ରସ୍ତୁତ କରିଛନ୍ତି । ଏହିସବୁ ସ୍ଥାନରେ ଲୋକେ ଖେଳିବା ସହ ସେଲ୍ଫି ନେବାର ମଜା ଉଠାଉଛନ୍ତି । ସନ୍ଧ୍ୟା ହେଲେ ପିଲାମାନେ ପାର୍କକୁ ଯାଇ ଖେଳିବା ସହ ବିଭିନ୍ନ ସମୟରେ ସେଲ୍ଫି ମଧ୍ୟ ଉଠାଇ ବେଶ୍ ମଜା କରୁଛନ୍ତି । "ଆଗରୁ ଏଥିପାଇଁ ସହର ଯିବାକୁ ପଡୁଥିଲା । ଏବେ ଗାଁରେ ଏହିସବୁ ସୁବିଧା ରହିଛି । ଗୋଟିଏ ଗାଁକୁ ଏଭଳି ସୁନ୍ଦର ରୂପ ଦେବାରେ ସଚିନଙ୍କ ଭୂମିକା ଅତୁଳନୀୟ" ବୋଲି କହିଛନ୍ତି ଗ୍ରାମ ବିକାଶ ସ୍ବେଚ୍ଛାସେବୀ ଅନୁଷ୍ଠାନର ମ୍ୟାନେଜର ।
ସ୍ମାର୍ଟ ଭିଲେଜର ମୁଖ୍ୟ ବିନ୍ଧାଣୀ:-
ଏହି ଦୁର୍ଗମ ଆଦିବାସୀ ଗାଁର ପରିବେଶକୁ ସହରୀ ଝଲକ ଦେବା ପଛରେ ଜଣେ ଶିକ୍ଷିତ ଯୁବକଙ୍କ ଦିଗଦର୍ଶନ ରହିଛି । ସେ ହେଉଛନ୍ତି ସଚିନ୍ କୋର୍ଲା । ହିମାଚଳ ପ୍ରଦେଶ ପାଲାମପୁରର ଏହି ଯୁବକ ଇଞ୍ଜିନିୟରିଂ ପଢି ସାରିବା ପରେ ଷ୍ଟୁଡେଣ୍ଟ ଫେଲୋସିପ୍ ପାଇଁ ଏହ ଅଞ୍ଚଳକୁ ଆସିଥିଲେ । ଏଠାରେ କାମ କରୁଥିବା ଏକ ସ୍ବେଚ୍ଛାସେବୀ ସଂସ୍ଥା ଗ୍ରାମବିକାଶ ସହ ମିଶି କାମ ଆରମ୍ଭ କରିଥିଲେ । ଏଠାକୁ ଆସିବା ପରେ ଏହି ଗାଁକୁ ଡିଜିଟାଲାଇଜେସନ୍ କରିବା ପାଇଁ ଚିନ୍ତା କରିଥିଲେ । ହେଲେ ଏଠାରେ ମୋବାଇଲ୍ ନେଟବାର୍କ ନଥିବାରୁ ଏହା ସମ୍ଭବ ହୋଇନଥିଲା । ତେଣୁ କିଭଳି ଏହି ଗାଁର ଚିତ୍ର ବଦଳାଇବେ ସେନେଇ ଚିନ୍ତା କରି ଏଭଳି କରିବାକୁ ଯୋଜନା କରିଥିଲେ । ତାଙ୍କ ଦିଗଦର୍ଶନରେ ଗାଁ ଲୋକେ ଶ୍ରମଦାନ କରି ଗାଁର ଚିତ୍ରକୁ ସଂପୂର୍ଣ୍ଣ ଭାବେ ବଦଳାଇପାରିଛନ୍ତି ।
ଖୁବଶୀଘ୍ର ଗାଁକୁ ପକ୍କା ରାସ୍ତା:-
ଗ୍ରାମର ବହୁଳ ବିକାଶ ପରେ ମଧ୍ୟ ଏହି ଗାଁକୁ ପକ୍କା ରାସ୍ତା ଖଣ୍ଡିଏ ନଥିବାରୁ ଏଥିପାଇଁ ପ୍ରଶାସନ ନିକଟରେ ଦାବି କରାଯାଇଛି । ଏହା କିଭଳି ଅତିଶୀଘ୍ର ହୋଇପାରିବ ସେନେଇ ପ୍ରୟାସ କରିବେ ବୋଲି ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ କହିଛନ୍ତି । ସେହିଭଳି ଏହି ଗାଁକୁ କିଭଳି ମୋବାଇଲ୍ ନେଟୱାର୍କ ଆସିପାରିବ ସେନେଇ ମଧ୍ୟ ବିଏସଏନଏଲ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ସେ କହିଛନ୍ତି । ଆଦିବାସୀ ଅଧ୍ୟୁସିତ ଏହି ଆଦିବାସୀ ଗାଁରେ ରହିଛି ସହରୀ ଝଲକ୍ । ଏଠାକାର ଶାନ୍ତ ପରିବେଶରେ ଏସବୁର ମଜା ନେବା ନିଶ୍ଚିତ ଭାବେ ଏକ ଭିନ୍ନ ଅନୁଭୂତି ।
ଇଟିଭି ଭାରତ, ଗଜପତି