ଗଜପତି: ସୀମାନ୍ତ ଗଜପତି ଜିଲ୍ଲାକୁ ପ୍ରବେଶ କଲା ମୌସୁମୀ । ଆଜି(ଗୁରୁବାର) ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସୀମାନ୍ତ ଗଜପତି ଜିଲ୍ଲାକୁ ପ୍ରବେଶ କରିଛି । ଯାହାର ପ୍ରଭାବରେ ଗୁରୁବାର ସକାଳୁ ପାଗ ମେଘୁଆ ରହିବା ସହ ଅପରାହ୍ନ ବେଳକୁ ଅସରାଏ ବର୍ଷା ହୋଇଛି ।
ଓଡିଶାରେ ଦକ୍ଷିଣ ପଶ୍ଚିମ ମୌସୁମୀ ଜୁନ 11-12 ତାରିଖରେ ଛୁଇଁବା ନେଇ ପୂର୍ବରୁ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଥିଲା । ତେବେ ବଙ୍ଗୋପସାଗରେ ଲଘୁଚାପ କାରଣରୁ ଗତ 3ଦିନ ହେଲା ଜିଲ୍ଲାରେ ପ୍ରାକ ମୌସୁମୀ ବର୍ଷା ଜାରି ରହିଥିଲା । ତେବେ ଆଜି ପ୍ରଥମ ମୌସୁମୀ ବର୍ଷାରେ ଭିଜିଛି ଜିଲ୍ଲାର ଅନେକ ଅଞ୍ଚଳ। ଫଳରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଥିବା ବେଳେ ଗୁଳୁଗୁଳି କିନ୍ତୁ ଲାଗି ରହିଛି ।
ବର୍ତ୍ତମାନ ବର୍ଷା ଆରମ୍ଭ ହୋଇଥିବାରୁ ଚାଷୀକୁଳ ବେଶ ଖୁସି ପ୍ରକାଶ କରିଛନ୍ତି । ଚାଷ କାମ ଆରମ୍ଭ କରିବା ସହ ବିହନ ବୁଣିବା ପାଇଁ ପ୍ରକୃଷ୍ଟ ସମୟ ହୋଇଥିଲେ ମଧ୍ୟ ରଜ ପରେ ଏହା ଆରମ୍ଭ କରିବାକୁ ଯୋଜନା କରୁଛି ଚାଷୀ ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ