ଗଜପତି: ରେଳ ବିଭାଗର ସାବତ ପୁଅ ସାଜିଛି ନୌପଡା-ଗୁଣପୁର ରେଳପଥ । ଏହି ରେଳପଥରେ ଆଜି ଯାଏଁ ରାଜଧାନୀକୁ ଠିକ୍ ସମୟରେ ସଂଯୋଗ କଲା ଭଳି ରେଳଟିଏ ଚଳାଚଳ କରିପାରିନାହିଁ । ଯାହା ଥେରୁବାଲି ଯାଏଁ ସଂପ୍ରସାରଣ ପ୍ରକଳ୍ପ ଦ୍ବନ୍ଦ ମଧ୍ୟକୁ ଠେଲି ହୋଇ ଯାଇଛି । ଏହି ପ୍ରକଳ୍ପ 2016-17 ଆର୍ଥିକ ବର୍ଷରେ ଘୋଷଣା କରାଯାଇଥିଲେ ମଧ୍ୟ ଏହାର କାମ ଆଗକୁ ବଢିପାରନାହିଁ । ଏପଟେ ରେଳବାଇର ଅବହେଳା ପ୍ରତିବାଦରେ ଲୋକେ ଆନ୍ଦୋଳନ କରିବାକୁ ସଜବାଜ ହେଲେଣି ।
ନୌପଡା ଗୁଣପୁର ରେଳପଥର ଥେରୁବାଲି ଯାଏଁ ସଂପ୍ରସାରଣ ପ୍ରକଳ୍ପର ଭାଗ୍ୟ ଏବେ ଦ୍ବନ୍ଦ ମଧ୍ୟରେ ରହିଛି । ନୌପଡା ଗୁଣପୁର ରେଳପଥ ମଧ୍ୟରେ ରହିଥିବା ରେଳଷ୍ଟେସନର ଉନ୍ନତିକରଣ ହେଉ କି ରେଳ ଚଳାଚଳ ସମୟରେ ପରିବର୍ତ୍ତନ, ନୂଆ ରେଳ ଚଳାଚଳ କିମ୍ବା ଥେରୁବାଲି ଯାଏଁ ସଂପ୍ରସାରଣ ପ୍ରକଳ୍ପ କାର୍ଯ୍ୟକାରୀ କ୍ଷେତ୍ରରେ ରେଳ ବିଭାଗ ବାରମ୍ବାର ଅବହେଳା କରିଆସୁଥିବା ଅଭିଯୋଗ ହୋଇଛି । କିନ୍ତୁ ଏହାର ପ୍ରତିବାଦ ଯେଭଳି ଭାବେ ହେବା କଥା ତାହା ହେଉନାହିଁ । ଏହାକୁ ନେଇ ଯେଉଁମାନେ ଆମ ପ୍ରୟାସରେ ରେଳ ଚଳାଚଳ ସମ୍ଭବ ହୋଇଛି ବୋଲି ଡିଣ୍ଡିମ ପିଟୁଥିଲେ ସେମାନେ ବର୍ତ୍ତମାନ କୁଆଡେ ଗଲେ ବୋଲି ପ୍ରଶ୍ନ କରିଛନ୍ତି ବିଭିନ୍ନ ଛାତ୍ର ନେତା ।
ନୌପଡା ଗୁଣପୁର ରେଳପଥ ଏକ ଐତିହାସିକ ପଥ ହୋଇଥିଲେ ମଧ୍ୟ ଏହାକୁ ସବୁବେଳେ ସରକାର ଅଣଦେଖା କରିଆସୁଛନ୍ତି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ସମୟରେ ଉଦବେଗ ପ୍ରକାଶ ପାଇଛି । ଗତ ୨୦୧୬-୧୭ ଆର୍ଥିକ ବର୍ଷରେ ଏହି ପ୍ରକଳ୍ପ ଘୋଷଣା କରିବା ସହ ୧ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ସେହିପରି ୨୦୧୭-୧୮ ଏବଂ ୨୦୧୮-୧୯ ଆର୍ଥିକ ବର୍ଷରେ ସରକାର ୧ ଲକ୍ଷ ଲେଖାଏ ପ୍ରଦାନ କରିଥିବା ବେଳେ, ୨୦୧୯ ୨୦ ମସିହାରେ ୧୦ ଲକ୍ଷ ପ୍ରଦାନ କରାଯାଇଥିଲା । ତେବେ ଚଳିତ ବର୍ଷ ବଜେଟରେ ପୁଣିଥରେ ଏହି ପ୍ରକଳ୍ପ ପାଇଁ ମାତ୍ର ୧ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି ।
ତେବେ ୭୯.୧୫ କିମି ଦୂର ସଂପ୍ରସାରଣ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ୯୩୫.୭୨ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଘୋଷଣା ସମୟରେ ଅଟକଳ କରାଯାଇଥିଲା । ବର୍ତ୍ତମାନ ସମୟରେ ଏହାର ପରିମାଣ ଆହୁରି ବୃଦ୍ଧି ପାଇବା ସମ୍ଭାବନା ରହିଛି । ଏଭଳି ସ୍ଥିତିରେ ଲକ୍ଷରେ ପାଣ୍ଠି ଦେଲେ କେବେ ଏହା ସମ୍ପୂର୍ଣ୍ଣ ତାହା ଏବେ ପ୍ରଶ୍ନବାଚୀ ?
ଯଦିଓ ଏହି ନୌପଡା-ଗୁଣପୁର ରେଳପଥରେ ରେଳ ଚଳାଚଳ ଆରମ୍ଭ କରିବା ପରେ ଅନେକ କୁଜି ନେତା ଏଥିପାଇଁ ନିଜର ପ୍ରୟାସକୁ ନେଇ ଆଡୁ ଘୋଷଣା କରିଥିଲେ । କିନ୍ତୁ ବାସ୍ତବରେ ରେଳବାଇର ଏଭଳି ଅବହେଳା ପ୍ରତିବାଦରେ କେବେ ହେଲେ ସେମାନେ ଆନ୍ଦୋଳନକୁ ମଧ୍ୟ ଓହ୍ଲାଇନାହାନ୍ତି । ଏପରିକି ଏହାର ପ୍ରତିବାଦରେ ୧୯୯୨ ମସିହାରେ ହୋଇଥିବା ଆନ୍ଦୋଳନରେ ସେମାନେ ଭାଗ ମଧ୍ୟ ନେଇନଥିବା ସ୍ଥାନୀୟ ଲୋକେ କୁହନ୍ତି । ଯେଉଁ ଛାତ୍ରନେତାମାନେ ଏହି ଆନ୍ଦୋଳନରେ ନିଜକୁ ଝାସଦେଇ ନୌପଡା ଠାରେ ରେଳରୋକ ଆନ୍ଦୋଳନ କରିବା ସହ ଆନ୍ଧ୍ର ପୁଲିସ ମାଡରେ ଲହୁଲୁହାଣ ହୋଇଥିଲେ ସେମାନେ ବର୍ତ୍ତମାନ ରେଳବାଇର ଅବହେଳା ପ୍ରତିବାଦରେ ଆନ୍ଦୋଳନ କରିବାକୁ ଅଣ୍ଟା ଭିଡୁଛନ୍ତି । ତେବେ ଏହାକୁ ନେଇ ବ୍ରହ୍ମପୁର ସାଂସଦ କହିଛନ୍ତି ଯେ, ଏହି ରେଳ ପଥ ସଂପ୍ରସାରଣ ହେଲେ ତାଙ୍କର କିଛି ଆପତ୍ତି ନାହିଁ । କିନ୍ତୁ ଗୋପାଳପୁର ରାୟଗଡ ରେଳପଥ ନିର୍ମାଣ ହେଲେ ସବୁ ସମସ୍ୟାର ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି ।
ଏହି ପ୍ରକଳ୍ପ ହେଲେ କେବଳ ଲୋକେ ଉପକୃତ ହେବେ ତାହା ନୁହେଁ, ବ୍ୟବସାୟିକ ଗୋଷ୍ଠୀ ମଧ୍ୟ ବେଶ ଉପକୃତ ହୋଇପାରିବେ । ଦକ୍ଷିଣ ଓଡିଶାର ଅଧିକାଂଶ ଅଞ୍ଚଳ ସହ ଭୁବନେଶ୍ବର ଯୋଡି ହୋଇପାରିବ ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ