ଗଜପତି: ପାରଳାଖେମୁଣ୍ଡିରେ ଶନିବାର ଜଣେ ଭିକ୍ଷୁକଙ୍କ ଗର୍ଭବତୀ ପତ୍ନୀ ମଝିରାସ୍ତାରେ ଶିଶୁକୁ ଜନ୍ମ ଦେଇଛନ୍ତି । ତେବେ ପ୍ରସବ ବେଦନା ହେବାରୁ ସ୍ବାସ୍ଥ୍ୟ ବିଭାଗକୁ ଜଣାଇଥିଲେ ମଧ୍ୟ କୌଣସି ବ୍ୟବସ୍ଥା କରାଯାଇନଥିଲା । ମେଡିକାଲକୁ ଯିବା ବାଟରେ ମହିଳା ଶିଶୁକୁ ଜନ୍ମ ଦେଇଥିବା ଜଣାପଡିଛି ।
ମିଳିଥିବା ସୂଚନା ଅନୁସାରେ ମହିଳାଙ୍କୁ ପ୍ରସବ ବେଦନା ହେବାରୁ ପାଖରେ କୌଣସି ସମ୍ବଳ ନଥିବାରୁ ସେମାନେ ସ୍ବାସ୍ଥ୍ୟ ବିଭାଗକୁ ଜଣାଇଥିଲେ । ହେଲେ ବିଭାଗ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନଥିଲା ବରଂ 108କୁ ଫୋନ୍ କରିବାକୁ ଖୋଦ୍ ମୁଖ୍ୟ ଚିକିତ୍ସା ଅଧିକାରୀ କହିଥିଲେ । ଗର୍ଭବତୀ ମହିଳା ହେଉଛନ୍ତି ଜଣେ ଭିକ୍ଷୁକଙ୍କର ପତ୍ନୀ ।
ତେବେ କୌଣସି ଉପାୟ ନ ପାଇବା ପରେ ଗର୍ଭବତୀ ମହିଳା ମେଡିକାଲ ଅଭିମୁଖେ ବାହାରିବା ବେଳେ ରାସ୍ତାରେ ଶିଶୁକୁ ଜନ୍ମ ଦେଇଛନ୍ତି । ରାସ୍ତାରେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଦେଖି କିଛି ସାମ୍ବାଦିକ ଏବଂ ସ୍ଥାନୀୟ ଲୋକମାନେ ସହଯୋଗ କରିଥିଲେ । ଏହି ଅଭାବନୀୟ ଘଟଣା ପାରଳାଖେମୁଣ୍ଡି ରାଜନହର ସାମ୍ନା ମୁଖ୍ୟ ରାସ୍ତାରେ ଦେଖିବାକୁ ମିଳିଛି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ