ଗଜପତି: ଜିଲ୍ଲା ପାରଳାଖେମୁଣ୍ଡି ପୋଲିସକୁ ସଫଳତା । ଚାକିରି ଦେବା ନାଁରେ ଠକୁଥିବା ଗୋଟିଏ ଠକ ଗ୍ୟାଙ୍ଗର ଦୁଇଜଣକୁ ଗିରଫ କଲା ପାରଳାଖେମୁଣ୍ଡି ପୋଲିସ । ଗିରଫ ବ୍ୟକ୍ତିମାନେ ହେଲେ ସୁବାଷ ଚନ୍ଦ୍ର ରାଉଳ, ପି.ବନମାଳୀ । 2 ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତକୁ ଖୋଜୁଛି ପୋଲିସ ।
ମିଳିଥିବା ସୂଚନା ଅନୁସାରେ, ପାରଳାଖେମୁଣ୍ଡି ଦୋଳବନ୍ଧ ନିକଟସ୍ଥ ସୁଭଦ୍ରା ବିହାରର ଏକ ଘରେ ସୁବାଷ ଚନ୍ଦ୍ର ରାଉଳ ଏଜୁକେସନ୍ ଏଣ୍ଡ ଟ୍ରେନିଂ ସେଣ୍ଟର ଏନଆରଏଲଏମ ପ୍ରୋଜେକ୍ଟ ଲେଖି ଏକ କାର୍ଯ୍ୟାଳୟ ଖୋଲିଥିଲେ । ଏଥିରେ ପି.ବନମାଳୀ ଏବଂ କୈଳାଶ କାର୍ଯ୍ୟ ସୁବାଷର ସହଯୋଗୀ ଭାବେ କାର୍ଯ୍ୟ କରୁଥିଲେ । ଏହି ୩ଜଣ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନ ବୁଲି ଏନଆରଏଲଏମର ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର ପଦବୀ ପାଇଁ ଆବେଦନ କରିବା ସହ ୧ଲକ୍ଷ ଟଙ୍କା ଦେଲେ ଏହି ଚାକିରି ହୋଇଯିବ ବୋଲି ପ୍ରଚାର କରିଥିଲେ । ଏହା ଜାଣିବା ପରେ ରା.ଉଦୟଗିରି ଥାନା ଅନ୍ତର୍ଗତ ଖଙ୍ଗିଲି ଗାଁର କୃପାସିନ୍ଧୁ ମଣ୍ଡଳ ନାମକ ଜଣେ ଯୁବକ ଏହି କାର୍ଯ୍ୟାଳୟକୁ ଆସି ଏସଂପର୍କରେ ଆଲୋଚନା କରିଥିଲେ ।
ଏହାପରେ ସେ ନିଜ ଘରେ ଜଣାଇବା ପରେ ଗତ ୨୦୨୧ମସିହା ନଭେମ୍ବର ୧୨ତାରିଖରେ ନଗଦ ୮୨ହଜାର ଏବଂ ଫୋନ ପେ ମାଧ୍ୟମରେ ୧୮ହଜାର ଏପରି ଲକ୍ଷେ ଟଙ୍କା ସୁବାଷ ଚନ୍ଦ୍ର ରାଉଳଙ୍କୁ ଦେଇଥିଲେ । ଏହି ସମୟରେ ପି.ବନମାଳୀ ଏବଂ କୈଳାଶ କାର୍ଯ୍ୟ ଉପସ୍ଥିତ ଥିଲେ । ଏହାପରେ କୃପାସିନ୍ଧୁଙ୍କୁ ଏକ ନିଯୁକ୍ତି ପତ୍ର ଦିଆଯାଇଥିଲା । ଯଦି ଚାକିରି ଭଲ ନଲାଗିଲେ ୩ମାସ ମଧ୍ୟରେ ଚାକିରି ଛାଡିଲେ ଏହି ଟଙ୍କା ଫେରସ୍ତ ଦିଆଯିବ ବୋଲି ମଧ୍ୟ ପ୍ରତିଶୃତି ଦେଇଥିଲେ ।
ସେମାନଙ୍କ କହିବା ଅନୁସାରେ ୧ମାସ ଧରି ବିଭିନ୍ନ କାମ କରିଥିଲେ । ହେଲେ ମାସ ପୂରିବା ପରେ ନିଜର ଦରମା ମାଗିବାରୁ ଆଉ ୫୦ହଜାର ଟଙ୍କା ଦେଲେ ଦରମା ମିଳିବ ବୋଲି କହିଥିଲେ । ତେବେ ଏହା ଦେବାକୁ ଅସମର୍ଥ ବୋଲି ଜଣାଇବା ପରେ ତୁରନ୍ତ ଇସ୍ତଫା ଦେଲେ ଟଙ୍କା ଦିଆଯିବ ବୋଲି କହିବାରୁ କୃପାସିନ୍ଧୁ ନିଜର ଇସ୍ତଫା ପତ୍ର ଦେଇଥିଲେ । ତେବେ ଟଙ୍କା ଫେରାଇବା ବଦଳରେ ଆଉ ଏହି ୩ଜଣ ବ୍ୟକ୍ତି ଧରାଛୁଆଁ ଦେଇନଥିଲେ । ବାରମ୍ବାର ପ୍ରୟାସ କରି ବିଫଳ ହେବା ପରେ କୃପାସିନ୍ଧୁ ପାରଳାଖେମୁଣ୍ଡି ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲେ ।
ଏହାକୁ ଆଧାର କରି ପାରଳାଖେମୁଣ୍ଡି ଥାନା ପୋଲିସ୍ ଏକ ମାମଲା U/S 420/34 ଧାରା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହି ଠକେଇର ମୁଖ୍ୟ ଅଭିଯୁକ୍ତ ସୁବାଷ ଚନ୍ଦ୍ର ରାଉଳଙ୍କୁ ଅଟକ ରଖି ପଚରାଉଚୁରା କରିବା ପରେ ସେ ସବୁ ସତକଥା ପୋଲିସ୍ ସମ୍ମୁଖରେ ମାନିଯାଇଥିଲା । ଫଳରେ ପୋଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥିରେ ଆଉ କେଉଁମାନେ ସଂପୃକ୍ତ ସେନେଇ ଖୋଳତାଡ କରାଯାଉଛି । ଯଦି କାହାର ସଂପୃକ୍ତି ପ୍ରମାଣ ମିଳେ ତାହେଲେ ସେମାନଙ୍କ ବିରୁଦ୍ଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପାରଳାଖେମୁଣ୍ଡି ଏସଡିପିଓ ରାମକୃଷ୍ଣ ପତି କହିଛନ୍ତି ।
ଇଟିଭି ଭାରତ, ଗଡପତି