ଗଜପତି: ଦୃଢ ଇଚ୍ଛାଶକ୍ତି ଥିଲେ ଦୁନିଆର କୌଣସି ବି ପ୍ରତିବନ୍ଧକ ବାଟ ରୋକିପାରିବ ନାହିଁ । ଏଭଳି ଅନେକ ଉଦାହରଣ ପୂର୍ବରୁ ଦେଖିବାକୁ ମିଳିଛି । ଏବେ ଏଥିରେ ଆଉ ଏକ ଫର୍ଦ୍ଦ ଯୋଡିଛି ଦିବ୍ୟାଙ୍ଗ ନୃସିଂହନାଥ ପାଢୀଙ୍କ ଘଟଣା । ପାରଳାଖେମୁଣ୍ଡି ସହରର କଟିକା ସାହି ବାସିନ୍ଦା ନୃସିଂହନାଥ ଦୃଷ୍ଟିହୀନ ହୋଇଥିଲେ ମଧ୍ୟ ନିଜର ଅଧ୍ୟବସାୟ ବଳରେ ସେ ନିଜେ ସଂଗୀତ ଶିକ୍ଷା କରିବା ସହ ଅନ୍ୟମାନଙ୍କୁ ମଧ୍ୟ ଶିକ୍ଷା ଦେଉଛନ୍ତି । କେବଳ ସଂଗୀତ ନୁହେଁ, ତବଲା ଏବଂ ହାରମିନିୟମ ଆଦି ମଧ୍ୟ ଶିକ୍ଷା ଦିଅନ୍ତି । ଏହା ବାଦ୍ ବିଭିନ୍ନ ମଞ୍ଚରେ ନିଜର ପ୍ରତିଭା ପ୍ରଦର୍ଶନ କରିବା ସଂଗୀତ ପ୍ରତି ନିଜର ତାଙ୍କ ସମର୍ପିତ ଭାବକୁ ପ୍ରକାଶ କରୁଥିବା ବୁଦ୍ଧିଜୀବୀମାନେ କହିଛନ୍ତି ।
ତେବେ ପାରଳାଖେମୁଣ୍ଡି ସହରର କଟିକା ସାହି ବାସିନ୍ଦା ନୃସିଂହନାଥ ପାଢୀ ଜଣେ ଦିବ୍ୟାଙ୍ଗ । ଜନ୍ମରୁ ସେ ତାଙ୍କ ଦୃଷ୍ଟି ଶକ୍ତି ହରାଇଛନ୍ତି । ନିଜ ଆଖିରେ ସିନା ଦୁନିଆର ସୁନ୍ଦରତାକୁ ଦେଖିନାହାନ୍ତି, ହେଲେ ନିଜ କଣ୍ଠର ଯାଦୁରେ ଦୁନିଆର ସୁନ୍ଦରତାକୁ ପରିପ୍ରକାଶ କରିଛନ୍ତି । ଏଥିସହ ଅନ୍ୟମାନଙ୍କ କଣ୍ଠରେ ସଂଗୀତ ଗାଇବାର କଳା ଶିଖାଇ ଦୁନିଆକୁ ଅଧିକ ରଙ୍ଗୀନ କରୁଛନ୍ତି । ଜନ୍ମରୁ ଦୃଷ୍ଟିଶକ୍ତି ହରାଇ ଥିବା ନୃସିଂହ ବଡ ହେଲେ କ'ଣ କରିବେ ସେନେଇ ପରିବାର ଲୋକେ ଚିନ୍ତାରେ ପଡିଥିଲେ ।
ହେଲେ ଅଳ୍ପ ଶିକ୍ଷା ଲାଭ କରିଥିବା ନୃସିଂହଙ୍କ ବୟସ ବଢିବା ସହ ତାଙ୍କ ଭିତରେ ଥିବା ଅନ୍ତର୍ନିହିତ ଗୁଣକୁ ଚିହ୍ନି ପାରିଥିଲେ ତାଙ୍କ ଅଭିଭାବକ । ତେଣୁ ତାଙ୍କୁ ସଂଗୀତ ଶିକ୍ଷା ପାଇଁ ପ୍ରବର୍ତ୍ତାଇ ଥିବାବେଳେ ନୃସିଂହ ମଧ୍ୟ ଏହାକୁ ଶିକ୍ଷା ଗ୍ରହଣ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ଫଳରେ ସେ ସଂଗୀତର ବିଭିନ୍ନ କଥାକୁ ଶିଖିଥିଲେ । ସେ କେବଳ ଭଳ ଗୀତ ଗାଇପାରନ୍ତି ତାହା ନୁହେଁ, ସେ ସଂଗୀତ ପାଇଁ ଆବଶ୍ୟକୀୟ ସରଞ୍ଜାମକୁ ମଧ୍ୟ ସଠିକ ଭାବେ ଚଳାଇପାରନ୍ତି । ସେ ହାରମିନିୟମ ହେଉ କି ତବଲା ସବୁ ବଜାଇବାରେ ବେଶ ସିଦ୍ଧହସ୍ତ ନୃସିଂହ । ଦୃଷ୍ଟି ଶକ୍ତି ହରାଇ ନିଜେ ଅନ୍ୟର ବୋଝ ହେବାକୁ ଚାହୁଁନାହାନ୍ତି । ସେଥିପାଇଁ ସେ ବିବାହ ମଧ୍ୟ କରି ନାହାନ୍ତି । ବର୍ତ୍ତମାନ ଯଦିଓ ନିଜ ଭାଇଙ୍କ ପାଖରେ ରହୁଛନ୍ତି, କିନ୍ତୁ ନିଜର ସମସ୍ତ କାମ ସେ ନିଜେ କରନ୍ତି ।
ଅନ୍ୟପଟେ ନୃସିଂହ କେବଳ ନିଜେ ସଂଗୀତ ଶିକ୍ଷା ଗ୍ରହଣ କରି ସଂଗୀତ ସେବା କରୁନାହାନ୍ତି । ସେ ଅନେକ ପିଲାଙ୍କୁ ଏ ସଂପର୍କରେ ଶିକ୍ଷା ମଧ୍ୟ ଦେଉଛନ୍ତି । ତାଙ୍କ ଠାରୁ ସଂଗୀତ ସଂପର୍କରେ ଶିକ୍ଷା ଗ୍ରହଣ କରୁଥିବା ପିଲାମାନେ ରାଜ୍ୟ ତଥା ଜାତୀୟସ୍ତରର ବିଭିନ୍ନ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରି ସଫଳ ମଧ୍ୟ ହୋଇଛନ୍ତି । ତେଣୁ ତାଙ୍କୁ ଗୁରୁ ଭାବେ ଗ୍ରହଣ କରିବା ସହ ତାଙ୍କ ବିନା ଏହି ସଫଳତା ପାଇବା ସେମାନଙ୍କ ପାଇଁ ସ୍ବପ୍ନ ହୋଇଥାନ୍ତା ବୋଲି ତାଙ୍କ ଠାରୁ ସଂଗୀତ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନେ କହିଛନ୍ତି ।
ସବୁବେଳେ ନୃସିଂହଙ୍କ ଘର ଭିତରୁ ହାରମିନିୟମ କିମ୍ବା ତବଲା ସହ ଶୁଭୁଥିବ ସଂଗୀତର ସ୍ବର । ସକାଳୁ ଉଠିବା ପରେ ନିଜର ନିତ୍ୟକର୍ମ ସମୟକୁ ଛାଡିଦେଲେ ବାକି ସମୟ ସେ କଣ୍ଠ ସଂଗୀତ ସାଧନା କରିବା ଏବଂ ଅନ୍ୟମାନଙ୍କୁ ଶିକ୍ଷା ଦେବାରେ କଟାଇଥାନ୍ତି ।
ଇଟିଭି ଭାରତ, ଗଜପତି