ଗଜପତି: ଅର୍ଦ୍ଧଦଗ୍ଧ ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିବା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକଙ୍କ ମୃତ୍ୟୁ ହୋଇଛି । ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କୁ ଗତକାଲି (ସୋମବାର) ଗୁରୁତର ଅବସ୍ଥାରେ ପାରଳାଖେମୁଣ୍ଡି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା ଏବଂ ପରେ କଟକ କୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ କଟକର ଏକ ଘରୋଇ ହସ୍ପିଟାଲରେ ଆଜି ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ଶରୀର ୮୦ ପ୍ରତିଶତ ପୋଡି ଯାଇଥିଲା ।
ମିଳିଥିବା ସୂଚନା ଅନୁଯାୟୀ ସହକାରୀ ଅଧିକାରୀଙ୍କ ଦେହରେ ନିଆଁ କେମିତି ଲାଗିଲା ଏହା ଦୁର୍ଘଟଣା ନା ଆତ୍ମହତ୍ୟା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ବନ ସଂରକ୍ଷକଙ୍କ ଜଣଙ୍କ ନିଜ ସରକାରୀ ବାସଭବନରେ ନିଜ ସ୍ତ୍ରୀ ଙ୍କ ସହ ଥିବା ବେଳେ ପୋଡ଼ି ଯାଇଥିଲେ । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯଇଥିଲା । ତେବେ ଏନେଇ ତାଙ୍କ ସ୍ତ୍ରୀ ମଧ୍ୟ ମୁହଁ ଖୋଲୁନାହାଁନ୍ତି । ସେପଟେ ଘଟଣାର ତଦନ୍ତ କରୁଛି ପୋଲିସ ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ