ପାରଳାଖେମୁଣ୍ଡି: ନେରେଡି ବ୍ୟାରେଜ ପ୍ରଭାବିତ ହେଉଥିବା ଲୋକେ ଜିଲ୍ଲାପାଳଙ୍କୁ ଦାବି ଜଣାଇଲେ । ଉପଯୁକ୍ତ କ୍ଷତିପୂରଣ ସହ ଥଇଥାନ ପାଇଁ ଦାବି କରିଛନ୍ତି । ବିଶେଷ କରି ଦୀର୍ଘଦିନରୁ ରହୁଥିବା ନିଜର ଭିଟାମାଟିକୁ ଉପଯୁକ୍ତ କ୍ଷତିପୂରଣ ପାଇଁ ଦାବି କରିଛନ୍ତି ।
ବଂଶଧାରା ନଦୀ ଉପରେ ନେରେଡି ଠାରେ ପ୍ରକଳ୍ପ ନିର୍ମାଣ ପାଇଁ ଟ୍ରିବ୍ୟୁନାଲ ଆନ୍ଧ୍ରକୁ ସବୁଜ ସଂକେତ ଦେବା ପରେ ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ଆନ୍ଧ୍ର ସରକାର । ତେବେ ଆବଶ୍ୟକୀୟ ଓଡିଶା ଜମି ଗ୍ରହଣ କରିବାରେ ସହାୟତା କରିବା ପାଇଁ ମଧ୍ୟ ଓଡିଶା ସରକାରଙ୍କୁ ନିର୍ଦ୍ଦେଶ ଜାରି କରିଛନ୍ତି କୋର୍ଟ । ତେବେ ଓଡିଶା ସରକାର ଏହାକୁ କିଭଳି ଗ୍ରହଣ କରିବେ ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ କ୍ଷତିଗ୍ରସ୍ତ ଅଞ୍ଚଳର ଲୋକେ ଜିଲ୍ଲାପାଳଙ୍କୁ ଭେଟି ସେମାନଙ୍କ ଦାବି ଜଣାଇଛନ୍ତି ।
ବାସହରା ଲୋକଙ୍କୁ ଉଚିତ୍ ମୂଲ୍ୟ ପ୍ରଦାନ କରିବା, ଚାଷ ଜମିର ବଜାର ମୂଲ୍ୟର ୮ ଗୁଣ ଅଧିକ ଟଙ୍କା ପ୍ରଦାନ କରିବା, କ୍ଷତିଗ୍ରସ୍ତ ଅଞ୍ଚଳବାସୀଙ୍କ ପ୍ରତି ପରିବାରର ଜଣେ ଓ ସଦସ୍ୟଙ୍କୁ ଯୋଗ୍ୟତା ଭିତିରେ ଚାକିରି, ତୋଟାବାଡିର ପ୍ରକୃତ ମୂଲ୍ୟାୟନ କରି କ୍ଷତିପୂରଣ ପ୍ରଦାନ ଦାବି କରିଛନ୍ତି ।
ଏହା ସହ ଘରର ଝିଅମାନଙ୍କ ପାଠପଢା ଏବଂ ବିବାହ ଖର୍ଚ୍ଚ ପାଇଁ ଟଙ୍କା ପ୍ରଦାନ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ସେମାନେ ପ୍ରଦାନ କରିଥିବା ସ୍ମାରକପତ୍ରରେ ଉଲ୍ଲେଖ କରିଛନ୍ତି । ଏହି ଦାବି ପୂରଣ ନହେଲେ ମରିବୁ ପଛେ ପ୍ରକଳ୍ପ କାମ କରାଇଦେବୁ ନାହିଁ ବୋଲି ପ୍ରଭାବିତ ଅଞ୍ଚଳବାସୀ ପ୍ରକାଶ କରିଛନ୍ତି ।
ଗଜପତିରୁ ହରିହର ପଟ୍ଟନାୟକ,ଇଟିଭି ଭାରତ