ଗଜପତି: ଚାଷୀ ଓ ଚାଷର ଉନ୍ନତି ପାଇଁ ସବୁ ପ୍ରକାର ଉଦ୍ୟମ କରାଯାଇଛି । ଏଥିପାଇଁ ଯୋଜନା ପ୍ରସ୍ତୁତ କରାଯିବା ସହ କୋଟି କୋଟି ଟଙ୍କା ବ୍ୟୟ ମଧ୍ୟ କରାଯାଉଥିବା ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତି । ହେଲେ ଗଜପତି ଜିଲ୍ଲାର ସ୍ଥିତିକୁ ଦେଖିଲେ ଏହା ଯେ କେବଳ କାଗଜ କଲମରେ ସୀମିତ ଏହା ସ୍ପଷ୍ଟ ବାରି ହୋଇପଡୁଛି । ଚାଷୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଜଳସେଚନ ପାଇଁ ନୂତନ ଭାବେ କୌଣସି ପ୍ରକଳ୍ପ ନିର୍ମାଣ କରିବା କଥା ଦୁରେ ଥାଉ ମହାରାଜାଙ୍କ ଅମଳରୁ ଖନନ ହୋଇଥିବା ସାଗରଗୁଡିକ ରକ୍ଷଣାବେକ୍ଷଣ ମଧ୍ୟ ଠିକ ଭାବେ କରାଯାଉନାହିଁ । ଫଳରେ ଏସବୁ ପୋତି ହେବାକୁ ବସିଛି ।
ପାରଳାଖେମୁଣ୍ଡି ମହାରାଜା ଜଣେ ପ୍ରଜାବତ୍ସଳ ଏବଂ ଦୃଷ୍ଟି ସଂପନ୍ନ ବ୍ୟକ୍ତି ଭାବେ ବେଶ ଜଣାଶୁଣା । ସେ ଏହି ଅଞ୍ଚଳ ଆର୍ଥିକ ସ୍ଥିତିର ବିକାଶ ପାଇଁ ଚାଷକୁ ଯଥେଷ୍ଟ ଗୁରୁତ୍ବ ଦେଉଥିବା ବେଳେ ସେମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ 7ଟି ସାଗର ଖନନ କରିଥିଲେ । ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ ହେବା ବେଳେ ଏଥି ମଧ୍ୟରୁ 3ଟି ସାଗର ଓଡିଶା ବାହାରେ ରହିଯାଇଥିଲା । ପାରଳାଖେମୁଣ୍ଡି ସହରର ଜଳକଷ୍ଟ ଦୁର ସହ ଚାଷ କାମରେ ବ୍ୟବହାର ପାଇଁ ସହରର ଦୁଇ ପାର୍ଶ୍ବରେ ରାମ ସାଗର ଓ ସୀତା ସାଗର ଖନନ କରିଥିବା ବେଳେ ଏହାଠାରୁ ପ୍ରାୟ 30କମି ଦୁର ପୂର୍ବ ଦିଗରେ କୃଷ୍ଣସାଗର ଏବଂ ପଶ୍ଚିମ ଦିଗରେ ରାଧା ସାଗର ଆଦି ଏବେ ବି ଓଡିଶା ମଧ୍ୟରେ ରହିଛି । ଏହି ସାଗରରେ ବର୍ଷା ଜଳକୁ ଗଚ୍ଛିତ ରଖିବା ସହ ନିଅଣ୍ଟ ସମୟରେ ଚାଷୀ ଏବଂ ସାଧାରଣ ଲୋକଙ୍କ ପାଇଁ ଏହି ବ୍ୟବହାର କରାଯାଇପାରୁଥଲା । ହେଲେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଏଗୁଡିକ ପୋତି ହେବାକୁ ବସିଛି । ଏହାର କେନାଲ ଗୁଡିକ ମଧ୍ୟ ଅଧିକାଂଶ ନଷ୍ଟ ହୋଇସାରିଥିବା ବେଳେ ଆଉ କିଛି ଅଳ୍ପ କିଛି ଦିନ ମଧ୍ୟରେ ମାଟିରେ ମିଶିବା ଭଳି ସ୍ଥିତିରେ ପହଞ୍ଚିଛି । ଏପରିକି ସୀତାସାଗରକୁ ଦେଖିଲେ ଏହା ଏକ ଖେଳ ପଡ଼ିଆର ଭ୍ରମ ସୃଷ୍ଟି କରୁଛି । ଫଳରେ ଚାଷୀ ଜଳସେଚନର ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି । ଫଳରେ ଏବେ ଗଜପତି ଜିଲ୍ଲାରେ ମରୁଡି ଭଳି ପରିସ୍ଥିତି ସୃଷ୍ଟି ହୋଇଛି ।
ସବୁ ସରକାର ଜଳସେଚନ ବିକାଶ ପାଇଁ ଅନେକ ଯୋଜନା ସହ ପ୍ରକଳ୍ପ ନିର୍ମାଣ ପାଇଁ କୋଟି କୋଟି ଟଙ୍କାର ବ୍ୟୟ ଅଟକଳ କରଥାନ୍ତି । ହେଲେ ରକ୍ଷଣାବେକ୍ଷଣା ଦିଗରେ ଅଳସୁଆ ପାଲଟିଯାଆନ୍ତି । ଯାହାର ଚିତ୍ର ଜଳଜଳ ହୋଇ ଦେଖାଯାଉଛି । ସରକାର ସମର୍ଥ ହେଲେ ଏଭଳି ଅସମର୍ଥତାର କାରଣ ଅସ୍ପଷ୍ଟ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ