ଗଜପତି: ଜିଲ୍ଲା କାଶୀନଗର ଅଞ୍ଚଳରୁ 7 ବର୍ଷର ଶିଶୁ ଅପହରଣ ଘଟଣାରେ 20ଦିନ ପରେ ଘଟଣା ଉପରୁ ପରଦା ହଟାଇଛି ପୋଲିସ । ଟଙ୍କା ଲୋଭରେ ଶିଶୁଟିକୁ ଅପହରଣ କରାଯାଇଥିବା ପୋଲିସ ସ୍ପଷ୍ଟ କରିଛି । ଏହି ଘଟଣାର ମାଷ୍ଟର ମାଇଣ୍ଡ ଏନଏସିର ଛାତ୍ର ବିଜେଡି ସଭାପତି ଏବଂ ତାଙ୍କର 7 ଜଣ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ଠାରୁ 2 ଲକ୍ଷରୁ ଅଧିକ ଟଙ୍କା ଏବଂ ଗୋଟିଏ କାର, 5ଟି ବାଇକ, 7ଟି ମୋବାଇଲ ଓ ନିଶ୍ଚେତକକୁ ଜବତ ମଧ୍ୟ କରିଛି ପୋଲିସ । ଏନେଇ ଅପହୃତ ଶିଶୁର ବାପାଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ବ୍ୟବସାୟୀ ଆତଙ୍କିତ ରହିଥିବା କହିଛନ୍ତି । ସେପଟେ ଏହି ଘଟଣାରେ ଉଭୟ ଶାସକ ବିଜେଡି ଓ ବିରୋଧୀ ବିଜେପି ମଧ୍ୟରେ କାଦୁଅ ପିଙ୍ଗା ଆରମ୍ଭ ହୋଇଯାଇଛି ।
ଟଙ୍କା ରୋଜଗାର ପାଇଁ ଏହି ଅପହରଣ କରାଯାଇଥିବା ବେଳେ ସାଢେ ୭ ଲକ୍ଷ ଟଙ୍କାର ଡିଲ ପରେ ଅପହୃତ ହାର୍ଦ୍ଦିକକୁ ଏକ ପରିତ୍ୟକ୍ତ ଘରେ ଅପହରଣକାରୀମାନେ ଛାଡି ଦେଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ଗଜପତି ଏସପି ତପନ କୁମାର ପଟ୍ଟନାୟକ । ମିଳିଥିବା ସୂଚନା ଅନୁସାରେ, ଟଙ୍କା ରୋଜଗାର ପାଇଁ କାଶୀନଗର ବଡମାକୁଲ ସାହିର କାର୍ମ ଚୈତନ୍ୟ ଏବଂ ପ୍ରଶାନ୍ତ ଲିମା ଦୀର୍ଘ ଦିନ ହେଲା କୌଣସି ଏକ ଧନୀ ଘରର ପିଲାଙ୍କୁ ଅପହରଣ କରିବାକୁ ଏକ ଷଡ଼ଯନ୍ତ୍ର ରଚିଥିଲେ । ତେବେ ଶେଷରେ ଟାର୍ଗେଟରେ ଆସିଥିଲେ କାଶୀନଗର ଅଞ୍ଚଳର କାଜୁ ବ୍ୟବସାୟୀ ଜାମି ଗୋପୀ । ଚୈତନ୍ୟ ଏବଂ ପ୍ରଶାନ୍ତ ନିଜର ଯୋଜନା ମୁତାବକ ଅନ୍ୟ କିଛି ସାଙ୍ଗସାଥୀଙ୍କୁ ଧରି ଗତ ୧୬ ତାରିଖ ସନ୍ଧ୍ୟାରେ ଗୋପୀଙ୍କ ୭ବର୍ଷ ପୁଅ ହାର୍ଦ୍ଦିକ ଖୋଳୁଥିବା ସମୟରେ ଅପହରଣ କରିନେଇଥିଲେ । ଏହାପରେ ଆରମ୍ଭ ହୋଇଥିଳା ଟଙ୍କାର ମୂଲଚାଲ । ପ୍ରଥମେ ପିଲାକୁ ଛାଡିବା ପାଇଁ ଅପହରଣକାରୀ ୫୦ ଲକ୍ଷ ଟଙ୍କା ଦାବି କରିଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ୭ ଲକ୍ଷ ୫୦ ହଜାର ଟଙ୍କା ଡିଲ ଛିଡିଥିଲା ।
ଟଙ୍କା ପାଇବା ପରେ ଅପହରଣକାରୀମାନେ ପିଲାଟିକୁ ଏକ ପରିତ୍ୟକ୍ତ ଘରେ ଛାଡିଦେଇ ଚାଲିଯାଇଥିଲେ । ଏହାପରେ ଗୋପୀଙ୍କର ଜଣେ ସମ୍ପର୍କୀୟ ଏବଂ ବ୍ୟବସାୟିକ ସହଯୋଗୀ ପିଲାଟିକୁ ଉଦ୍ଧାର କରିଥିଲେ । ଏହାପରେ ଗୋପୀ ନିଜ ପୁଅର ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହି ଘଟଣା ସମ୍ପର୍କରେ ଆଉ କିଛି କହିବାକୁ ଚାହୁଁନଥିବା ବେଳେ ପୋଲିସର ସନ୍ଦେହି ଆଖି କିନ୍ତୁ ଏହା ପଛର କାରଣ ଖୋଜିବା ପାଇଁ ଲାଗି ପଡ଼ିଥିଲା । ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଏକ ସ୍ଵତନ୍ତ୍ର ଟିମ୍ ଗଠନ କରି ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା ।
ଗତ 16ତାରିଖ ସନ୍ଧ୍ୟାରେ ହାର୍ଦ୍ଦିକକୁ ଅହପରଣ କରିନେବା ପରେ 17ତାରିଖ ସକାଳେ ତାଙ୍କୁ ଛାଡିବା ପାଇଁ 50ଲକ୍ଷ ଟଙ୍କା ଦାବି କରିଥିଲେ ଅପହରଣକାରୀ । ସେହିଦିନ ସନ୍ଧ୍ୟାରେ ହିଁ 20ଲକ୍ଷ ଦେବାକୁ ଦାବି କରିଥିଲେ । ଶେଷରେ ସାଢେ 7ଲକ୍ଷ ଟଙ୍କାରେ ଡିଲ୍ ଛିଣ୍ଡିଥିଲା । ତା ପରଦିନ ସେମାନେ ଏହି ଟଙ୍କା ଦେବା ପରେ ସେମାନେ ପିଲାକୁ ଛାଡିଥିଲେ । ତେବେ ଗୋପୀଙ୍କର କାହା ସହ ଶତୃତା ନଥିବା ବେଳେ ଏହି ପିଲାମାନେ ଏଭଳି କାହିଁକି କଲେ ସେ ଜାଣିନଥିବା କହିଛନ୍ତି । ସେହିପରି ସ୍ଥାନୀୟ ବ୍ୟବସାୟୀମାନେ ମଧ୍ୟ ଏହି ଘଟଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି । ପୂର୍ବରୁ କେବେ ଏଭଳି ଘଟଣା ହୋଇନଥିଲା । ବର୍ତ୍ତମାନ ଏଭଳି ଅପହରଣ ଘଟଣା ସେମାନଙ୍କୁ ଆତଙ୍କିତ କରିଥିବା ବ୍ୟବସାୟୀମାନେ କହିଛନ୍ତି ।
ଶାନ୍ତ ପରିବେଶ ଗଜପତି ଜିଲ୍ଲାରେ ଦିନକୁ ଦିନ ଅପରାଧିକ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏଥିପାଇଁ ଶାସକ ଦଳକୁ ଟାର୍ଗେଟ କରିଛି ବିରୋଧୀ ବିଜେପି । ଜିଲ୍ଲାରେ ଶାସକ ଦଳର ନେତାଙ୍କ ପ୍ରୋରଚନାରେ ଅପରାଧୀମାନେ କେତେବେଳେ ଚୋରୀ ତ ଆଉ କେତେବେଳେ ଡକାୟତି ଚାଲିଛି । ଏବେ ପିଲା ଅପହରଣ ମଧ୍ୟ ବହୁ ଚିନ୍ତାର କାରଣ ପାଲଟିଛି । ଅପରାଧିମାନେ ଗିରଫ ହେବା ପରେ ମଧ୍ୟ ଜାମିନରେ ଆସି ବାହାରେ ବୁଲୁଛନ୍ତି । ଏହି ସମସ୍ତ ଆକ୍ରମଣ କରିଥିବା ଅପରାଧୀମାନେ ଦିନ କେଇଟାରେ ଜାମିନରେ ଆସିଥିବା ଘଟଣାକୁ ମଧ୍ୟ ସେ ଅଭିହିତ କରିଛନ୍ତି । ଗତ କିଛି ଦିନ ତଳେ ପାରଳାଖେମୁଣ୍ଡି ସହରରେ ଏକାଧିକ ଚୋରୀ ଘଟଣାରେ ମଧ୍ୟ ପୋଲିସ କିଛି ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ସେମାନେ ମଧ୍ୟ କିଭଳି ଶୀଘ୍ର ଜାମିନ ପାଇବେ ସେଥିପାଇଁ ଶାସକ ଦଳର ନେତାମାନେ ଉଦ୍ୟମ ଆରମ୍ଭ କରିଦେଇଛନ୍ତି ।
ସେହିଭଳି କାଶୀନଗର ଅଞ୍ଚଳର କାଜୁ ବ୍ୟବସାୟୀ ଜାମି ଗୋପୀଙ୍କ 7 ବର୍ଷର ପୁଅକୁ ଅପହରଣ ଘଟଣାରେ ପୋଲିସ 8ଜଣଙ୍କୁ ଗିରଫ କରିଥିବା ବେଳେ ସେଥିରେ ମାଷ୍ଟର ମାଇଣ୍ଡ ହେଉଛନ୍ତି ଖୋଦ ଶାସକ ଦଳର ଛାତ୍ରନେତା କାର୍ମି ଚୈତନ୍ୟ । । ଏଥିରୁ ଶାସକ ଦଳର ନେତାମାନେ କିଭଳି ଅପରାଧିକ ଘଟଣାରେ ନିଜକୁ ସାମିଲ କରୁଛନ୍ତି ସେନେଇ ପାରଳାଖେମୁଣ୍ଡି ବିଧାୟକ ନିଜ ପ୍ରତିକ୍ରିୟାରେ କହିଛନ୍ତି । ସେପଟେ ବିଜେଡି ମଧ୍ୟ ଏହି ଘଟଣାକୁ ନେଇ ପ୍ରତିକ୍ରାୟ ରଖିଛି । ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ କହିଛନ୍ତି ଯେ ବିଜେଡି ଏକ ଶୃଙ୍ଖଳିତ ଦଳ । ଅପରାଧୀଙ୍କ ପାଇଁ ଦଳରେ କୌଣସି ସ୍ଥାନ ନାହିଁ । ଯିଏ ଦୋଷୀ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦଳୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଥିବା ସେ କହିଛନ୍ତି ।
ଅପହରଣ ଏବଂ ଖଲାସ ଘଟଣାକୁ ନେଇ ସମସ୍ତେ ଚୁପ୍ ଥିବା ବେଳେ ପୋଲିସ ନିଜ ଆଡୁ ଏହି ଘଟଣାର ପର୍ଦ୍ଦାଫାସ କରିଛି । ଏହାପରେ ଏହି ଘଟଣା ଲୋକଲୋଚନକୁ ଆସିଛି । ତେବେ ଏହି ଘଟଣାକୁ ନେଇ ସାଧାରଣ ଲୋକେ ଆତଙ୍କିତ ଅବସ୍ଥାରେ ରହିଥିବା ବେଳେ ରାଜନୈତିକ ଦଳମାନେ ନିଜର ରୁଟି ସେକିବା ଆରମ୍ଭ କରିଦେଇଛନ୍ତି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ