ଗଜପତି: କଂଗ୍ରେସରେ ଯୋଗ ଦେବାପରେ ବିଭିନ୍ନ ଜିଲ୍ଲା ଓ ବିଭିନ୍ନ ନେତାଙ୍କ ବାସଭବନ ଯାଇ ସଂଗଠନକୁ ସୁଦୃଢ଼ କରିବାରେ ଲାଗି ପଡ଼ିଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ତେବେ ଆଜି ଦିନିକିଆ ଗଜପତି ଜିଲ୍ଲା ଗସ୍ତରେ ଆସି ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜୟ । ଏହା ସହ ରାଜ୍ୟର ପ୍ରତ୍ୟେକ ସ୍ଥାନରେ କଂଗ୍ରେସ ବଞ୍ଚି ରହିଛି ଏବଂ ପୁଣି କ୍ଷମତାକୁ ଫେରିବା ଅସମ୍ଭବ ନୁହେଁ ବୋଲି ସେ କହିଛନ୍ତି ।
ବିଜୟ ଗଜପତି ଗସ୍ତ ସମୟରେ କହିଛନ୍ତି, "ସାଢେ ୪ କୋଟି ଓଡିଆଙ୍କ ହୃଦୟରେ ନବୀନ ବାବୁ ରହିଛନ୍ତି ବୋଲି ବିଜେଡି ବାଲା କହି ବୁଲୁଥିଲେ ମଧ୍ୟ ପ୍ରକୃତ କଥା ହେଉଛି ନବୀନ ବାବୁ ସାଧାରଣ ଲୋକଙ୍କ ଠାରୁ ବହୁ ଦୂରରେ । ଏପରିକି ତାଙ୍କ ମନ୍ତ୍ରୀ ମଣ୍ଡଳର ସଦସ୍ୟ ମାନେ ମଧ୍ୟ ତାଙ୍କୁ ଭେଟିବା ସମ୍ଭବ ହେଉନାହିଁ । ଏକ କଟୋରୀ ବର୍ତ୍ତମାନ ସରକାର ଏବଂ ଦଳକୁ ପରିଚାଳନା କରୁଛନ୍ତି । ଏହା ସାଧାରଣ ଲୋକେ ବୁଝିବା ଆରମ୍ଭ କଲେଣି । ତେଣୁ ସେମାନେ ବିକଳ୍ପ ଖୋଜିବା ଆରମ୍ଭ କରିଛନ୍ତି । ହେଲେ ଏହାକୁ ମ୍ୟାନେଜ କରିବା ପାଇଁ ଶାସକ ଦଳ ପ୍ରଶାସନିକ ଅଧିକାରୀଙ୍କ ଉପରେ ଚାପ ସୃଷ୍ଟି କରି ନିଜ ଦଳ ପାଇଁ କାର୍ଯ୍ୟ କରିବାକୁ ବାଧ୍ୟ କରୁଛନ୍ତି । ଯାହା ସୁସ୍ଥ ଗଣତନ୍ତ୍ରରେ ଆଦୌ ଗ୍ରହଣୀୟ ନୁହେଁ । ତେଣୁ ସରକାର ଏଥିରୁ ବିଚ୍ୟୁତ ହୋଇ ଅଧିକାରୀମାନଙ୍କୁ ସେମାନଙ୍କ କାମ ବିନା ଚାପରେ କରିବାକୁ ସୁଯୋଗ ଦିଅନ୍ତୁ । ସରକାରୀ ଅଧିକାରୀଙ୍କ ପାଇଁ ଏକ ଲକ୍ଷ୍ମଣ ରେଖା ରହିଛି । ସେମାନେ ତାହାରି ଭିତରେ ରହି କାମ କରିବା ଆବଶ୍ୟକ ।"
ସେ ଆହୁରି ମଧ୍ୟ କହିଛନ୍ତି, "ଗଞ୍ଜାମ ଓ ଗଜପତି ଜିଲ୍ଲାର ଅଧିକାଂଶ ଲୋକେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି । ତଥାପି ଦୀର୍ଘ ବର୍ଷ ହେଲା ମୁଖ୍ୟମନ୍ତ୍ରୀ ଥିବା ନବୀନ ପଟ୍ଟନାୟକ ଦକ୍ଷିଣ ଓଡିଶାରୁ ପ୍ରତିନିଧିତ୍ବ କରୁଥିବା ବେଳେ ଏହି ସମସ୍ୟାର ସମାଧାନ ପାଇଁ କାଣିଚାଏ ମଧ୍ୟ ପ୍ରୟାସ କରିନାହାନ୍ତି । ଯାହା ଏହି ଲୋକଙ୍କ ପାଇଁ ଅତ୍ୟନ୍ତ ଦୁଃଖ । ମୁଁ କଂଗ୍ରେସରେ ଯୋଗଦେବା ପରଠାରୁ ଓଡିଶାର ବଭିନ୍ନ ସ୍ଥାନ ବୁଲି ଲୋକଙ୍କ ସହ ଆଲୋଚନା କରୁଛି । ପ୍ରତ୍ୟେକ ସ୍ଥାନରେ କଂଗ୍ରେସ ବଞ୍ଚି ରହିଛି । କଂଗ୍ରେସର ଏକ ଭୋଟ ବ୍ୟାଙ୍କ ଏବେ ମଧ୍ୟ ରହିଛି ।" ତେବେ ତାହାକୁ ସଠିକ ମାର୍ଗରେ ପରିଚାଳନା କଲେ କଂଗ୍ରେସ ପୁଣି କ୍ଷମତାକୁ ଫେରିବା ଅସମ୍ଭବ ନୁହେଁ ବୋଲି ସେ କହିଛନ୍ତି ।
କଂଗ୍ରେସ ନେତା ବିଜୟ ପଟ୍ଟନାୟକ ତାଙ୍କ ଗସ୍ତ ସମୟରେ ସ୍ଥାନୀୟ କଂଗ୍ରେସ କାର୍ଯ୍ୟ।ଳୟରେ ଦିନ ତମାମ ଜିଲ୍ଲାର କଂଗ୍ରେସ କର୍ମୀ ଓ ନେତାଙ୍କ ସହ ଦଳୀୟ ସଂଗଠନ ଏବଂ ଜିଲ୍ଲାର ବଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ବରିଷ୍ଠ କଂଗ୍ରେସ ନେତା ବସନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୋହନା ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ଦାଶରଥୀ ଗମାଙ୍ଗ, ବରିଷ୍ଠ କଂଗ୍ରେସ ନେତା ଜେ. ମୋହନ ରାଓ, ଅଭମନ୍ୟୁ ପଣ୍ଡା ପ୍ରମୁଖଙ୍କ ସମେତ ଶତାଧିକ ନେତା ଓ କର୍ମୀ ସାମିଲ ହୋଇଥିଲେ ।
ଇଟିଭି ଭାରତ, ଗଜପତି