ଗଜପତି: ସାଧାରଣ ନିର୍ବାଚନକୁ ନିରପେକ୍ଷ କରିବା ପାଇଁ ଆକ୍ସନ ମୁଡରେ ପୋଲିସ । ଏଥି ପାଇଁ ବିଭିନ୍ନ ଜିଲ୍ଲାର ମୁଖ୍ୟ ରାସ୍ତା ଏବଂ ପ୍ରବେଶ ପଥରେ ଚାଲିଛି ପୋଲିସର ଯାଞ୍ଚ । ଏହି କ୍ରମରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ନିକଟସ୍ଥ ରାଣୀପେଣ୍ଠ ଛକଠାରେ ଚାଲିଥିଲା ପୋଲିସର ତନାଘନା । ତେବେ ଯାଞ୍ଚ ସମୟରେ ଏକ ବୋଲେରୋରୁ 80ହଜାର ଟଙ୍କା ଜବତ କରିଛି ପୋଲିସ । ଏହା ସହିତ ଘଟଣାରେ ସମ୍ପୃକ୍ତ 2 ଜଣ ବ୍ୟକ୍ତିଙ୍କୁ ଅଟକ ରଖାଯାଇଥିବା ଜଣା ପଡିଛି ।
ସୂଚନା ମୁତାବକ, OR02BS4888 ନମ୍ବରର ଏହି ବୋଲେରୋଟି ପାରଲାଖେମୁଣ୍ଡିରୁ କାଶୀନଗର ଅଭିମୁଖେ ଯାଉଥିଲା । ଗାଡିକୁ ଅଟକ ରଖି ଯାଞ୍ଚ କରୁଥିବା ସମୟରେ ଗାଡିରେ 80 ହଜାର ଟଙ୍କା ସମେତ ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର ସ୍ବାଧୀନ ପ୍ରାର୍ଥୀ ତିରୁପତି ପାଣୀଗ୍ରାହୀଙ୍କ ପୋଷ୍ଟର ମଧ୍ୟ ରହିଥିଲା । ତେବେ ଟଙ୍କା ଏବଂ ଗାଡି ସମେତ ସମସ୍ତ ପୋଷ୍ଟର ଜବତ କରିଛି ପୋଲିସ ।
ସେପଟେ ଏହି ଟଙ୍କା ନିର୍ବାଚନରେ ବ୍ୟବହାର କରାଯାଉଥିବା ସନ୍ଦେହ କରୁଛି ଗଜପତି ପୁଲିସ । ତେଣୁ ଜବତ ଟଙ୍କାକୁ ଫ୍ଲାଇଙ୍ଗ ସ୍କ୍ବାର୍ଡ କୁ ହସ୍ତାନ୍ତର କରିବା ସହ ତଦନ୍ତ ଜାରି ରଖିଥିବା କହିଛନ୍ତି ପାରଳାଖେମୁଣ୍ଡି ଥାନା ଆଧିକାରୀ ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ