ଗଜପତି: ବକେୟା ଦରମା ଦାବି କରି ବିଭିନ୍ନ ପଞ୍ଚାୟତରେ କାମ କରୁଥିବା କର୍ମଚାରୀଙ୍କ ବିକ୍ଷୋଭ ପ୍ରଦର୍ଶନ । ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମକୁ ପଞ୍ଚାୟତ ସ୍ତରରେ ପହଞ୍ଚାଉଥିବା କର୍ମଚାରୀମାନେ ଗତ 17ମାସ ହେଲା କୌଣସି ଦରମା ପାଇ ନଥିବାବେଳେ ସେମାନଙ୍କୁ ବିନା କୌଣସି ନୋଟିସରେ ଛଟେଇ କରିଦିଆଯାଇଛି ।
ଯାହାର ପ୍ରତିବାଦରେ ଆଜି(ସୋମବାର) ଗଜପତି ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ କାମ କରୁଥିବା କର୍ମଚାରୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସମସ୍ତ ବକେୟା ଦରମା ପ୍ରଦାନ କରିବା, ପୁନଃନିଯୁକ୍ତି ପ୍ରଦାନ କରିବା ସହ ସ୍ଥାୟୀ କରିବା ଆଦି 3ଟି ଦାବି ସମ୍ବଳିତ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ।
ଭିନ୍ନକ୍ଷମଙ୍କୁ ଭତ୍ତା ଯୋଗାଇବା, ସେମାନଙ୍କ ପାସବୁକ ସଂଲଗ୍ନ କରିବା, ମହିଳା ସ୍ବଂୟ ସହାୟିକା ଗୋଷ୍ଠୀର ସଦସ୍ୟାଙ୍କୁ ସହାୟତା କରିବା ଆଦି ବିଭିନ୍ନ ସରକାରୀ ଯୋଜନାକୁ ଗ୍ରାମାଞ୍ଚଳରେ ପହଞ୍ଚାଇବାର ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ଏହି କର୍ମଚାରୀଙ୍କୁ ଛଟେଇ କଲେ, ଏସବୁ ବାଧାପ୍ରାପ୍ତ ହେବ ବୋଲି ଆଶା ପ୍ରକାଶ ପାଇଛି । ଅତିଶୀଘ୍ର ଦାବିପୂରଣ ନହେଲେ ଆଗାମୀ ଦିନରେ ସେମାନେ ଆନ୍ଦୋଳନକୁ ଜୋରଦାର କରିବେ ବୋଲି ଚେତାବନୀ ଦେଇଛନ୍ତି ।
ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ