ଢେଙ୍କାନାଳ: ଦନ୍ତା ହାତୀ ଆକ୍ରମଣରେ ଯୁବକ ମୃତ । ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ମହାବିରରୋଡ ରେଞ୍ଜ ଡମଳ ଗ୍ରାମରେ । ମୃତ ଯୁବକ ଜଣଙ୍କ ହେଉଛନ୍ତି ସେହି ଗ୍ରାମର କମାର ବେହେରା ।
ଆଜି ସକାଳ ସମୟରେ କମାର ଗ୍ରାମ ନିକଟସ୍ଥ ନାଳକୁ ସେ ଶୌଚ ହେବାକୁ ଯାଇଥିବା ବେଳେ ଏକ ହାତୀ ତାଙ୍କୁ ପଛପଟୁ ଆକ୍ରମଣ କରିଥିଲା । ଏନେଇ ଖବର ପାଇ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପର୍ଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତେବେ କମାର ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଉଥିବା ବେଳେ ଅଧାବାଟରେ ତାଙ୍କର ମୃତ୍ୟୁ ହୋଇଥିଲା ।
ହାତୀ ଆକ୍ରମଣରେ ଯୁବକଙ୍କ ଅଣ୍ଟା ଓ ଛାତିରେ ଗଭୀର ଆଘାତ ଲାଗିଥିବା କାରଣରୁ ମୃତ୍ୟୁ ହୋଇଥିବା ଜଣାପଡିଛି। ଖବର ପାଇ ମେଡିକାଲରେ ରେଞ୍ଜର ସତ୍ୟନାରାୟଣ ସାହୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ମହାବିର ରୋଡ ରେଞ୍ଜରେ ବର୍ଷ ତମାମ ହାତୀଙ୍କ ଉପଦ୍ରବ ଲାଗିରହିଛି। ଫଳରେ ଅଞ୍ଚଳର ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ