ଢେଙ୍କାନାଳ: ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଯୌତୁକପଶି ଗାଁ ନିକଟସ୍ଥ ଆମ୍ବ ତୋଟାରେ ଜଣେ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ସେହି ଗ୍ରାମର ସୋମନାଥ ସାହୁ ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ମୃତ ସୋମନାଥ ଶନିବାର ଅପରାହ୍ନରୁ କେଉଁଆଡେ ନିଖୋଜ ହୋଇ ଯାଇଥିଲେ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ପାଇନଥିଲେ । ଆଜି(ରବିବାର) ଗ୍ରାମ ନିକଟସ୍ଥ କେନାଲ ପାଖ ଆମ୍ବତୋଟା ସ୍ଥିତ ଏକ ଗଛରେ ସୋମନାଥଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା । ଏନେଇ ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପରଜଙ୍ଗ ପୋଲିସ ସହ ଅଗ୍ନିଶମ ବାହିନୀ ପହଞ୍ଚି ମୃତଦେହ ଉଦ୍ଧାର କରିବା ବ୍ୟବଚ୍ଛେଦ ପାଇଁ ପଠାଇଛି ।
ସେପଟେ ଏହା ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇ ନ ଥିବାବେଳେ ପରିବାର ଲୋକେ ପୂର୍ବରୁ ବନ ବିଭାଗର ମିଥ୍ୟା କେଶକୁ ନେଇ ସୋମନାଥ ଚାପରେ ଥିବା କହିଛନ୍ତି । ତେବେ ଗତ ୪ ମାସ ତଳେ ଜଙ୍ଗଲୀ ଜନ୍ତୁ ଶିକାର କେଶରେ ବନବିଭାଗ ସୋମନାଥଙ୍କ ନାମରେ ଏକ ମାମଲା ରୁଜୁ କରି କୋର୍ଟଚାଲାଣ କରିଥିଲା । ଯାହାକୁ ନେଇ ସେ ମାନସିକସ୍ତରରେ ଚାପଗ୍ରସ୍ତ ରହୁଥିଲେ । ଏଥିପାଇଁ ସେ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ